ଆମେରିକାକୁ ୭ ୱିକେଟ୍ରେ ହରାଇ ଭାରତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଗ୍ରୁପ୍-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି। ନ୍ୟୁୟର୍କର କଠିନ ପିଚ୍ରେ ଆମେରିକା ବୁଧବାର ଭାରତକୁ ୧୧୧ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।ଭାରତର ପଶ୍ଚାତଧାବନ କିନ୍ତୁ ବିପର୍ଯ୍ୟୟରୁ ଆରମ୍ଭ ହୋଇଥିଲା। ଭାରତୀୟ ବଂଶୋଦ୍ଭବ ବୋଲର ସୌରଭ ନେତ୍ରଭଲକର ହିଁ ଭାରତକୁ ୧୪ ବଲ୍ ଭିତରେ ଯୁଗଳ ଝଟ୍କା ଦେଇଥିଲେ। ତୃତୀୟ ବଲ୍ରେ ବିରାଟ କୋହଲିଙ୍କ ଭଳି କିଂବଦନ୍ତି ବ୍ୟାଟର୍ଙ୍କୁ ଅତି ଚତୁରତାର ସହ ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ କରାଇ ନିଜ ଜୀବନର ସବୁଠୁ ବଡ଼ ତଥା ଅବିସ୍ମରଣୀୟ ସଫଳତା ପାଇଥିଲେ। କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା। କେବଳ କୋହଲି ନୁହେଁ ବିଶ୍ବ କ୍ରିକେଟ୍ର ଅନ୍ୟତମ ମହାନ ତାରକା ରୋହିତ ଶର୍ମାଙ୍କୁ ବି ଶିକାର କରିଥଲେ। କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ୟାଦବ (୫୦*) ଓ ଶିବମ ଦୁବେ (୩୧*) ଦାୟିତ୍ବ ସଂପନ୍ନ ବ୍ୟାଟିଂ କରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।