ଭୁବନେଶ୍ବର: ଟ୍ରେନକୁ ଟେକା ମାଡ଼ ନୂଆ କଥା ନୁହେଁ । ବର୍ଷ ବର୍ଷ ଧରି ଏପରି ଅଭିଯୋଗ ହେଉଛି । ଆଉ ଯାତ୍ରୀମାନେ ଆହତ ହେଉଛନ୍ତି ତ ଜୀବନ ଯାଉଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର, କଳ୍ପନା ନିକଟରେ । ଘଟଣା ଅନୁସାରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିବା ବଡ଼ ଭାଇ ନାବାଳକ ସାନ ଭାଇକୁ ସାଙ୍ଗରେ ନେଇଥିଲେ ହାଇଦ୍ରାବାଦ । ୩ ମାସ ପରେ ଘରକୁ ଫେରୁଥିଲେ ୨ ଭାଇ। ଓଡ଼ିଶା ପାର ହେବା ପରେ ସେମାନେ ବିହାରରେ ପହଞ୍ଚିଥାଆନ୍ତେ। ଘରେ ବାପାମା’ ଅପେକ୍ଷା କରିଥିଲେ ୨ ପୁଅଙ୍କୁ ଦେଖିବେ। ବାହାରୁ ପଥର ମାଡ଼ରେ ସାନ ଭାଇର ଜୀବନ ଚାଲିଗଲା। ମଙ୍ଗଳବାର ରାତିରେ ଭୁବନେଶ୍ବର ରେଳଷ୍ଟେସନରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ବାହାରୁ ହୋଇଥିବା ପଥରମାଡ଼ରେ ଜଣେ ନାବାଳକ ଟ୍ରେନ୍ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବିସେରା ଅଞ୍ଚଳର ପ୍ରିନ୍ସ କୁମାର(୧୪)। ରେଳବାଇ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ପଥରମାଡ଼ କରିଥିବା ଦୁର୍ବୃତ୍ତକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ବଡ଼ ଭାଇ ମୁନା ସାନ ଭାଇର ମୃତଦେହ ନେଇ ଘରକୁ ଫେରିଛି। ତେବେ ଏପରି ଅନେକ ଘଟଣା ଘଟୁଥିଲେ ମଧ୍ୟ ଲୋକଲୋଚନକୁ ଆସିପାରୁନାହିଁ । ଅନେକ ସମୟରେ ଏପରି କିଛି ପିଲା ଟ୍ରେନକୁ ପଥର ମାରୁଛନ୍ତି । ବିଶେଷ କରି ସଂଧ୍ୟାବେଳେ ଟ୍ରେନ କଡ଼ରେ ବସୁଥିବା ପିଲାମାନେ ମଜାରେ ପଥର ମାଡ଼ କରୁଛନ୍ତି ଆଉ ଫଳ ସ୍ବରୂପ କାହାର ଜୀବନ ଯାଉଛି ।