ଖୋଲିଲା ସୁଭଦ୍ରା ପୋର୍ଟାଲ । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ‘ସୁଭଦ୍ରା’ର ପୋର୍ଟାଲ ଆସିଯାଇଛି। ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ। ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋର୍ଟାଲ ଜାରି କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ବାର୍ଷିକ ୧୦ ହଜାର ଟଙ୍କା ହାରରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଅର୍ଥାତ୍ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।
ବାର୍ଷିକ ୧୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ଜମା କରାଯିବ। ପ୍ରତି ବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନରେ ଓ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ୮)ରେ ପ୍ରଦାନ କରାଯିବ। ଏହି ଅର୍ଥକୁ ହିତାଧିକାରୀଙ୍କ ନାମରେ ଆଧାର-ସକ୍ଷମ ଓ ଡିବିଟି- ସକ୍ଷମ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟରେ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍) ବ୍ୟବହାର କରି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଜମା କରାଯିବ। ଡିଜିଟାଲ କରାବାରକୁ ଉତ୍ସାହିତ କରିବାପାଇଁ ସରକାର ଏକ ବ୍ୟାପକ ପୁରସ୍କାର ଓ ସ୍ୱୀକୃତି କାର୍ଯ୍ୟକ୍ରମ ଆରମ୍ଭ କରିବେ।