ପୁରୀ : ପଥରକୁ ସେ ଜୀବନ୍ତ ରୂପ ଦିଅନ୍ତି । ତାଙ୍କ ନିହଣ ମୂନରେ ସୃଷ୍ଟି ହୋଇଥିବା ପଥର ମୂର୍ତ୍ତି ଲାଗେ ସତେ ଯେପରି କଥା କହୁଥିବା ମୂର୍ତ୍ତି । ନିଜର ପରିଶ୍ରମ ପାଇଁ ସେ ଆଜି ଅନେକ କିର୍ତ୍ତୀ ସ୍ଥାପନ କରିଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତ ବିଭାଗ ତରଫରୁ ଉଜ୍ଜୈନସ୍ଥିତ ରୁଦ୍ରାକ୍ଷ ହୋଟେଲ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ବଳଙ୍ଗା ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା ଓ ତାଙ୍କ ପୁଅ ଆଦିତ୍ୟ । ମହାକାଳେଶ୍ବର ମନ୍ଦିିର ଭିତରେ ଅନେକ ସୁନ୍ଦର ମୂର୍ତ୍ତି ନିର୍ମାଣ କରିଥିବାରୁ ଉଜ୍ଜୈନ ଗସ୍ତବେଳେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ତାଙ୍କୁ ପ୍ରଶଂସା କରିଥିଲେ । ଓଡ଼ିଶାର କାରୁକାର୍ଯ୍ୟକୁ ସାରା ବିଶ୍ବରେ ପ୍ରଚାର ପ୍ରସାର କରୁଥିବାରୁ ଧନ୍ୟବାଦ ଦେଇଥିଲେ । ମହାକାଳେଶ୍ବର ଶିବ ମନ୍ଦିର ସହ ଇନ୍ଦୋର ସହରକୁ ସୁନ୍ଦର କରିବା ପାଇଁ କାରୁକାର୍ଯ୍ୟର ମହତ୍ତ୍ବ ରହିଛି । ତେଣୁ କଳାକାରଙ୍କୁ ସେ ବହୁତ ଭଲ ପାଉଥିବା କହିଥିଲେ ରାଷ୍ଟ୍ରପତି । ଓଡ଼ିଶାର କାରିଗରମାନେ ମହାମହିମ ରାଷ୍ଟ୍ରପତିଙ୍କୁ ପଥରର ଶିବମୂର୍ତ୍ତି ଉପହାର ଦେବା ବେଳେ ସେ ଅତ୍ୟନ୍ତ ଖୁସି ହୋଇଥିଲେ । ବଳଙ୍ଗା ଥାନା ଅନ୍ତର୍ଗତ ମଉଜିବେଗ ଗ୍ରାମର ଅକ୍ଷୟ ପଥର ମୂର୍ତ୍ତି କାରିଗର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଦୀର୍ଘ ୩୫ ବର୍ଷ ହେବ ପଥରରେ କଳାକୃତି ନିର୍ମାଣ କରି ଆସୁଛନ୍ତି ।
ବଳଙ୍ଗା ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ କରିଥିବା ପଥର ଶିଳ୍ପୀ ଅକ୍ଷୟ ମହାରଣା ଖାଲି ତାଙ୍କ ପାଇଁ ନୁହେଁ ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ସ୍ୱର୍ଗତ ଗୁରୁ ରଘୁନାଥ ମହାପାତ୍ର ହେଉଛନ୍ତି ତାଙ୍କ ଗୁରୁ । ଗୁରୁ ରଘୁନାଥଙ୍କ ପାଖରେ ସେ ୧୫ବର୍ଷ ପର୍ଯ୍ୟନ୍ତ ପଥରରେ ମୂର୍ତ୍ତି ନିର୍ମାଣ କାମ କରୁଥିଲେ । ଗଞ୍ଜାମ ଜିଲ୍ଲା ତାରାତାରିଣୀ, ପୁରୀ ଅଠରନଳା ଗରୁଡ଼ ମୂର୍ତ୍ତି, ଦିଲ୍ଲୀ ରାଜଘାଟର ସମାଧି, ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ନିଜର ନିଖୁଣ କାରୁକାର୍ଯ୍ୟ କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ହାତ ତିଆରି ମୂର୍ତ୍ତି ସ୍ୱର୍ଗତ ମହାମହିମ ପ୍ରଣବ ମୁଖାର୍ଜୀ ଓ ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଶୋଭା ପାଉଛି।
ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ସଂସ୍କୃତି ବିଭାଗ ପକ୍ଷରୁ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଇଁ ବିଭିନ୍ନ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏଠାରେ ବଇଁଶୀ ପାହାଡ଼ା ପଥରରେ ୧୧ ଫୁଟର ଶିବ ଲିଙ୍ଗ ମୂର୍ତ୍ତି ନିର୍ମାଣ କରୁଛନ୍ତି । କୌଳିକ ବୃତ୍ତିକୁ ଆଦରି କାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
କେବଳ ସେତିକି ନୁହେଁ ତାଙ୍କ ନିହାଣମୂନରେ ତିଆରି ପଥର ଶିଳ୍ପକଳା ରାଜ୍ୟ ବାହାରେ ଆଦୃତି ଲାଭ କରିଛି। ଏହି ଶିଳ୍ପକଳାକୁ ଜୀବନ୍ତ ରୂପ ଦେଇ ସେ ବହୁ ପୁରସ୍କାର ଓ ସମ୍ମାନ ସାଉଣ୍ଟିଛନ୍ତି । ତାଙ୍କର ନିଖୁଣ ପ୍ରତିଭା ପଥରରେ ଦେଖାଯାଇଥାଏ । ସଂଘର୍ଷମୟ ଜୀବନ ତାଙ୍କୁ ନୂଆ କିଛି କରିବା ଲାଗି ପ୍ରେରଣା ଦେଇଛି। ବିଭିନ୍ନ ମୂର୍ତ୍ତି ଓ କାରୁକାର୍ଯ୍ୟ ବାବଦରେ ଗୁରୁ ଶ୍ରୀ ମହାପାତ୍ରଙ୍କ ଠାରୁ ଶୁଣି , ଦେଖି ପ୍ରଶିକ୍ଷଣରେ ଏଭଳି କାରୁକାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବଡବଡ କାରିଗରଙ୍କୁ ସେ ପଛରେ ପକାଇ ସୁନାମ ଅର୍ଜ୍ଜନ କରିଥିଲେ।
ମନରେ ନୂଆ ସାହସ ସଞ୍ଚୟ କରି ପଥର କିଣି ସେଥିରେ ନିହାଣ ହାତୁଡିରେ ଛୋଟଛୋଟ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଏଥିରେ ସୁନ୍ଦର ମୂର୍ତ୍ତି ତିଆରି କରି ସବୁଠି ଚର୍ଚ୍ଚାକୁ ଆସିଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନକୁ ନେଇ ସେ ମୂର୍ତ୍ତି ବିକ୍ରି କରି ଚଳନ୍ତି। ଯୁବ ପିଢି ଏହି ଶିଳ୍ପ କୁ ରୋଜଗାରର ମାଧ୍ୟମ କରିପାରିବେ ବୋଲି ସେ କୁହନ୍ତି ।