ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି । ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ବିଜେଡି ଦଳରେ ବହୁ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି । ଆଗଧାଡ଼ିର କର୍ମକର୍ତ୍ତାମାନଙ୍କୁ ସମ୍ମାନ ମିଳୁନି । ପୂର୍ବ ସରକାର ସମୟରେ ବହୁତ ଦୁର୍ନୀତି ହୋଇଛି । ନେତା,କର୍ମୀଙ୍କୁ ଅଣଦେଖା କରାଯାଉଛି କାମ ମିଳୁନି । ଏହା କହିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା କଳାହାଣ୍ଡିର ଟାଣୁଆ ନେତା ସୁଜିତ କୁମାର । ମମତା ମହନ୍ତ ଏଭଳି ଅଭିଯୋଗ ଆଣି ଇସ୍ତଫା ଦେଇଥିଲେ । ପରେ ସମାନ ଅଭିଯୋଗ ଆଣି ସୁଜିତ୍ କୁମାର ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ପାଣ୍ଡିଆନଙ୍କ ଫ୍ୟାକ୍ଟର ପରେ ବିଜେଡି ବିପର୍ଯ୍ୟୟ ଆଡ଼କୁ ଯାଉଛି । ଏହି ଚର୍ଚା ଏବେ ଜୋର ଧରିଛି ।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ଦଳରୁ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ପାଣ୍ଡିଆନ ନିରବତା ପରେ ମଧ୍ୟ ଦଳରେ ନେତା ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ମମତାଙ୍କ ପରେ ସୁଜିତ ସେହି ଏକା ଅଭିଯୋଗ ଆଣିଛନ୍ତି ଦଳରେ ତାଙ୍କୁ ପଚରାଯାଉନି, ସମ୍ମାନ ମିଳୁନି ସେମାନେ ଅଣନିଶ୍ୱାସୀ ଅନୁଭବ କରି ଦଳ ଛାଡ଼ିଛନ୍ତି ।
ଗତ କିଛି ଦିନ ଧରି ବିଭିନ୍ନ ପଂଚାୟତ ସମିତି ଓ ପୌର ସଂସ୍ଥାରେ ବିଜେଡି ନିଜର କର୍ତ୍ତୃତ୍ୱ ହରାଉଛି । ଦଳର ବହୁ ବିଧାୟକ ଏବେ ବିଜେପିକୁ ଯିବା ପାଇଁ ଆଲୋଚନା ଜାରି ରଖିତିବା ବିଜେପି ନେତାମାନେ ଖୋଲାଖୋଲି କହୁଛନ୍ତି । ନିର୍ବାଚନର ୩ମାସ ପରେ ଅଧିକ ନେତା ଗୋଟେ ପରେ ଗୋଟି ବିଜେପି ଦଳକୁ ଯାଉଥିବା ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଜେଡି ସୁପ୍ରିମାେ ଯେତେ ବୈଠକ କଲେ ତାହାର ପ୍ରଭାବ ପଡ଼ୁନି । ସବୁଦିନ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି କିନ୍ତୁ ତାହାର ପ୍ରଭାବ ଆଉ ନେତାଙ୍କୁ ଭଲ ଲାଗୁନାହିଁ । ନବୀନଙ୍କ ମନ୍ତ୍ର ଆଉ ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି କରିପାରୁନଥିବା ଏଥିରୁ ସ୍ପଷ୍ଟ ହେଉଛି ।
ଦୁଇ ସାଂସଦ ରାଜ୍ୟସଭାରୁ ଯିବା ପରେ ପୁଣି ବିଜେଡିର ଆଉ ଦୁଇ ସାଂସଦ ଖୁବଶୀଘ୍ର ଦଳ ଛାଡ଼ିପାରନ୍ତି । ଏହା ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଛାଡ଼ିବା ଦ୍ୱାରା ସାରା ରାଜ୍ୟରେ ଏହି ଚର୍ଚା ସରଗରମ ହେଉଛି । ଦଳ ଆଗାମୀ ଦିନରେ ଆହୁରି ଅନେକ ନେତାଙ୍କୁ ହରାଇବ ତାହା ସ୍ପଷ୍ଟ ହେଉଛି । ସାଂଗଠନିକସ୍ତରରେ ବିଶେଷ ପ୍ରଭାବ ପଡ଼ୁଛି । ସାଂସଦମାନଙ୍କ ଇସ୍ତଫାର ଦୂରଗାମୀ ପ୍ରଭାବ ଗାଁ ଗହଳିକୁ ମଧ୍ୟ ବ୍ୟାପୁଛି । କାଲି ଯେଉଁ କର୍ମୀ ବିଜେଡି ପାଇଁ ଓକିଲାତି କରୁଥିଲେ ଆଜି ସେମାନେ ବିଜେପି ପତକା ଧରି ବୁଲୁଛନ୍ତି । ଆଗାମୀ ଦିନରେ ଏହା ବିଜେଡିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି ।
ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ୍ କୁମାର ବିଜେପିକୁ ଯିବା ପରେ ଯାହା କହିଛନ୍ତି ତାହା ହେଲା ତାଙ୍କୁ ବିଜେଡିରେ କାମ କରିବାକୁ ସୁଯୋଗ ମିଳୁନାହିଁ । ଏହା ହେଉଛି ବଡ଼ ପ୍ରଶ୍ନ । ନେତାଙ୍କୁ ଯଦି ଦଳରେ କୋଣଠେସା କରି ରଖାଯାଏ ତେବେ ସେମାନେ କରିବେ କଣ ? ତାଙ୍କ ପାଖରେ ଦୁଇଟି ରାସ୍ତା ସେ କଂଗ୍ରେସକୁ ଯିବେ ବା ବିଜେପିକୁ ଯିବେ । ତୃତୀୟ ବିକଳ୍ପ ତାଙ୍କ ପାଇଁ କିଛି ନହୋଇପାରେ । ବିଜେଡିର ସାଂସଦ ସଂଖ୍ୟା ୭କୁ ହ୍ରାସ ପାଇଛି କିନ୍ତୁ ଆଗାମୀ ଛଅ ମାସରେ ଏହି ସଂଖ୍ୟା ଅଧା ହୋଇପାରେ । ଲୋକସଭାରେ ଦଳର ଜଣେ ବି ସାଂସଦ ନାହାଁନ୍ତି । ଦଳ ସରକାରରେ ନାହିଁ । ଦଳର ଭାବଭୂର୍ତ୍ତି ଖରାପରୁ ଅତି ଖରାପ ଆଡ଼କୁ ଯାଉଛି । ନବୀନ ପଟ୍ଟନାୟକଙ୍କର ଆଉ ସେ ବଳ ନାହିଁ ଏହା ସମସ୍ତେ ଉପଲବ୍ଧି କରିଲେଣି ।
୩ମାସ ପୂର୍ବରୁ ଏକଥା କେହି ବିଶ୍ବାସ କରିପାରୁନଥିଲେ । ନବୀନଙ୍କର କ୍ଷମତା ସର୍ବାଧିକ ଥିଲା । ଏବେ ସବୁ କଳା ହରଣ ହେବା ପରି ଲାଗୁଛି । ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି । ଜଣକପରେ ଜଣେ ସାଂସଦ ଦଳ ଛାଡ଼ୁଥିଲେ ମଧ୍ୟ ବିଜେଡି ସଭାପତି କିଛି କରିପାରୁନାହାଁନ୍ତି । ଦଳ ସେହି ପୁରୁଣା ଫର୍ମାଟରେ ଚାଲିଛି । ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସଙ୍କୁ ଅଧିକ ଦୋଷ ଦେଉଛନ୍ତି ବିଜେଡି କର୍ମୀ । ଆଗାମୀ ଦିନରେ ବିଜେଡିରେ ଅସନ୍ତୋଷ ବଢ଼ିପାରେ । କର୍ମୀ ଅଧିକ ଉଗ୍ର ହୋଇପାରନ୍ତି ଏହା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।
ମମତା ମହନ୍ତଙ୍କ ଶୈଳୀକୁ ଆଶ୍ଚର୍ଯ୍ୟ କୁହାଯାଉଥିଲା । ସୁଜିତ୍ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର କିଛି ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ । ଆଗାମୀ ଦିନରେ ଏହା କିଛି ନୂଆ ଲାଗିବ ନାହିଁ । ଅନେକ ନେତା ବିଜେପିର ସଦସ୍ୟତା ଗ୍ରହଣ କରିବା ଅସ୍ବାଭାବିକ ଲାଗିବ ନାହିଁ । ବିଜେଡି କେବଳ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିବା ଛଡା ଆଉ କିଛି କହିବା ଅବସ୍ଥାରେ ନାହିଁ । ସୁଜିତଙ୍କ ରାଜ୍ୟସଭାରେ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅବଧି ରହିଛି । ବିଜେପି ତାଙ୍କୁ ପୁଣିଥରେ ରିପିଟ୍ କରିବ । ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।