ଭୁବନେଶ୍ୱର : ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରତ୍ନଭଣ୍ଡାର ଖୋଲିଥିଲା । ଆଉ ସେତେବେଳେ ଆଇନମନ୍ତ୍ରୀ ଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ଆଉ ଦୀର୍ଘ ୪୬ବର୍ଷ ପରେ ଏବେ ଆଇନ୍ ମନ୍ତ୍ରୀ ଅଛନ୍ତି ସେତେବେଳର ଆଇନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟପାଳ ଥିବା ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥିରାଜ ହରିଚନ୍ଦନ । ସେତେବେଳ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି ଓ ମଣତି କରାଯାଇଥିଲା । ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ସଂସ୍କାର ଲାଗି ଏକ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ସେ ସମୟରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ଆଧାରରେ ଶ୍ରୀମନ୍ଦିରର ଖୋଲିଥିଲା ।
କିଛି ସୂଚନା ଆଧାରରେ ଦୀର୍ଘ ୪୬ବର୍ଷ ତଳେ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଗଣତି କରାଯାଇଥିବା ସୁନା ଦେଢ କୁଇଣ୍ଟାଲରୁ ଅଧିକ ଥିଲା । ଅନେକ ସୁନା ଅଳଙ୍କାର ସେ ସମୟରେ ଗଣତି ହୋଇପାରିନଥିଲା । ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିଲା ।
୨୨,୧୫୩ ଭଳି ଓଜନର ମୂଲ୍ୟବାନ ପଥର ସହିତ ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା ।
ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସ୍ୱର୍ଣର୍ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା ବୋଲି କୁହାଯାଇପାରିବ । ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।
ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିଲା ଏବେ ତାହାର ଓଜନ ହୋଇପାରିବ ।ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ନିର୍ଦ୍ଧାରିତ ପନ୍ଥାରେ ରତ୍ନଭଣ୍ଡାରର ସମ୍ପତ୍ତି ସବୁର ଗଣତି, ମଣତି ଓ ରକ୍ଷଣା ବେକ୍ଷଣ ହେବାକଥା । ତେବେ ବିଭିନ୍ନ କାରଣରୁ ୪୬ବର୍ଷ ଧରି ଭିତର ରତ୍ନଭଣ୍ଡାରର ସାମଗ୍ରୀର ଆଉ ହିସାବ ନିକାଶ ହୋଇପାରିନାହିଁ । ବର୍ତ୍ତମାନର ମୋହନ ମାଝୀଙ୍କ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ମଧ୍ୟ କୁହାଯାଇଛି । ରତ୍ନଭଣ୍ଡାର ମରାମତି ମଧ୍ୟ କରାଯିବ । ଲେଜର ସ୍କାନିଂରୁ ରତ୍ନଭଣ୍ଡାରରେ ଫାଟ ହୋଇଥିବା ଜଣାପଡିଛି । ତେଣୁ ଏହାର ମରାମତିର ନିହାତି ଆବଶ୍ୟକତା ରହିିଛି । ତେବେ ଆଉ ଦିନକ ପରେ ରତ୍ନଭଣ୍ଡାର ଖୋଲାଯିବାପାଇଁ ଥିବାରୁ ସମସ୍ତଙ୍କ ମନରେ ଏ ବିଷୟରେ ଜାଣିବା ପାଇଁ ଆଗ୍ରହ ବୃଦ୍ଧି ପାଇଛି । ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର । ଏସଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପଶିବାକୁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ ହେବ । କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏନେଇ ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେମାନେ ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ । ଏହି ସମୟରେ କମିଟି ସମସ୍ତ ଟିମର ସହଯୋଗ ନେବ । ଏହସହ ରୋଚକ କଥା ହେଉଛି ରତ୍ନଭଣ୍ଡାର ଭିତରେ ସାପ ଥିବା କଥା କୁହାଯାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଛି । ସେହିଭଳି ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସେଠାରେ ଆଲୋକିକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।