ବିଜେଡିର ନିର୍ବାଚନ ଖର୍ଚ କୁ ନେଇ ଜୋର ଧରିଥିଲା ରାଜନୀତି । ଏବେ ସେହି ନିର୍ବାଚନ ଖର୍ଚ୍ଚ ଜଣାପଡିଛି । ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି।
ତାରକା ପ୍ରଚାରକ ୨୩୧ ଥର ହେଲିକପ୍ଟର/ଏୟାରକ୍ରାଫ୍ଟରେ ଗସ୍ତ କରିଥିଲେ। ସର୍ବାଧିକ ୧୫୭ ଥର ଏକାକୀ କାର୍ତ୍ତିକ ପାଣ୍ଡିଆନ ଗସ୍ତ କରିଥିଲେ। ନବୀନ ଓ ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍ଟରରେ ଯାଇଥିଲେ। ନବୀନ ଏକାକୀ ୬ ଥର ହେଲିକପ୍ଟର ଓ ୫ ଥର ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର , ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲକପ୍ଟରରେ ଗସ୍ତ କରିଥିଲେ।
ବିଜେଡି ଦ୍ବାରା ଭାରତୀୟ ନିର୍ବାଚନ ଆୟୋଗ (ଇିସିଆଇ)ଙ୍କ ନିକଟରେ ଦାଖଲ ୬୦ ପୃଷ୍ଠାର ପୂର୍ଣ୍ଣ ବ୍ୟୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଇସିଆଇ ଏହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି।
ରିପୋର୍ଟ ଅନୁସାରେ ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା, ଓ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବ୍ୟୟ ପରେ ଦଳ ପାଖରେ ଆଉ ୬୨୫ କୋଟି ୭ ଲକ୍ଷ ୪୮ ହଜାର ୫୩୨ ଟଙ୍କା ରହିଛି।
ଦଳୀୟ ପ୍ରଚାର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର/ଏୟାର କ୍ରାଫ୍ଟ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।