ଭୁବନେଶ୍ବର: କ୍ଷମତା ଚାଲିଯିବା ପରେ ବିଜେଡିରେ ଏବେ କିଛି ଠିକ ଠାକ ଚାଲିନାହିଁ । ଦଳରେ ବିଭିନ୍ନ ଗୋଷ୍ଠୀ ଅନ୍ୟ ପ୍ରତି ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ସ୍ଥିତି ଏଭଳି ହୋଇଛି ଯେ ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ଭୁବନେଶ୍ବର ବିଜେଡି ସଭାପତି ଏହି କଟକଣା ଜାରି କରିଛନ୍ତି। ଭୁବନେଶ୍ବର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତ ସଭାପତି ଥିବାବେଳେ ତାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ବର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଥିବାବେଳେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି।
ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ନିର୍ବାଚନ ପୂର୍ବରୁ ଲାଗିରହିଛି । ଯାହା ଏବେ ଚାରିଆଡେ ଚର୍ଚା ଚାଲିଛି । ବରିଷ୍ଠ କର୍ପୋରେଟର ଅମରେଶ (ବାଇଁଆ) ଜେନା ଯାହା କହିଛନ୍ତି ତାହା ଦଳ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲକ୍ଷ୍ୟ କରି ବିଭୀଷଣ କହିବାକୁ ଦଳ ସହଜରେ ଗ୍ରହଣ କରିନାହିଁ । ଏହା ସହ ଅନ୍ୟତମ ବରିଷ୍ଠ କର୍ପୋରେଟର ବିରଞ୍ଚି (ଲିଟୁ) ମହାସୁପକାର ଏକାମ୍ରରେ ଏହି ପରାଜୟ ପାଇଁ ବିଧାୟକ ଅଶୋକ ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ(ବୁନୁ)ଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେ ନାଁ ନ ନେଇ ସେ କହିଛନ୍ତି ଯେ ଜଣେ ହାରିଥିବା ଓ ଜିତିଥିବା ବିଧାୟକ ଏଠି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । ଦଳ ଭିତରେ ଗୋଷ୍ଠୀ ତିଆରି କରୁଛନ୍ତି । ଯାହାର ପ୍ରଭାର ଗତ ନିର୍ବାଚନରେ ଦେଖିବାକୁ ମିଳିଛି । କହିବାକୁ ଗଲେ ଅନନ୍ତ ମାତ୍ର 36 ଖଣ୍ଟ ଭୋଟରେ ବିଜୟୀ ହୋଇଛନ୍ତି ଆଉ ଅଶୋକ ପରାଜୟ ହୋଇଛନ୍ତି । ଭୁବନେଶ୍ବରରେ ଦଳର ଏପରି ପରାଜୟକୁ ନେଇ ବିଜେଡି ଦୁର୍ଗ ଭୁଷୁଡି ପଡ଼ିଛି ।
ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଦଳର ବିପର୍ଯ୍ୟୟ ନେଇ ଆଲୋଚନା ହୋଇଛି । ଏଥିରେ ଯୋଗଦେଇଥିବା ବାଇଁଆ ପରେ କହିଥିଲେ ଦଳରେ ବିଭୀଷଣ ଅଛନ୍ତି । କିଛି ନେତା ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାଙ୍କୁ ତାହା କରିବାକୁ ଦିଆଯିବ ନାହିଁ । ବାଇଁଆଙ୍କର ଏହି ମନ୍ତବ୍ୟ ଅଶୋକ ପଣ୍ଡାଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ କେବଳ ଦଳରେ ନୁହେଁ ଦଳ ବାହାରେ ଏହା ଚାରିଆଡେ ଆଲୋଚନା ହୋଇଥିଲା । ବିଜେଡିର ୨୨ ଜଣ କର୍ପୋରେଟର ରାଜମହଲଛକସ୍ଥିତ ଆର୍ଯ୍ୟ ପ୍ୟାଲେସ୍ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇଁଆଙ୍କୁ କଡ଼ା ଜବାବ ଦେଇଥିଲେ । ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଟିଳ ହେଉଥିଲା ବେଳେ ହାଇକମାଣ୍ଡ ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ଭୁବନେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳରେ ଖୋଦ୍ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଭୂମିକାକୁ ନେଇ ଅନେକ ବିଜେଡି ନେତା ପ୍ରଶ୍ନ ଉଠାଇଛନ୍ତି । ଗୋଟେ କାନ୍ଧରେ ସେ ଅଶୋକ-ଅନନ୍ତଙ୍କୁ ବସାଇଥିବା ବେଳେ ଆର କାନ୍ଧରେ ବାଇଁଆ-ଲିଟୁଙ୍କୁ ବସାଇବାକୁ ଚେଷ୍ଟା କରିଛନ୍ତି ବୋଲି କିଛି ନେତା କହୁଛନ୍ତି । ଉଭୟ ପକ୍ଷ ମଧ୍ୟରେ ମିଳାମିଶା ଏବଂ ଦଳକୁ ସଂଗଠିତ କରିବାରେ ତାଙ୍କର ଉଦ୍ୟମ କି ଆନ୍ତରିକତା ନାହିଁ । ଓଲଟି ଉଭୟ ପକ୍ଷକୁ ଟିହାଉଛନ୍ତି ।