ଭରତପୁର ଥାନାରେ ମାନସିକ ଶାନ୍ତି ପାଇଁ ହେଲା ପୂଜାପାଠ । ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ ଏହି ଥାନାରେ ଜଏନ କରିବା ସହ ପୂଜାପାଠ କରିଛନ୍ତି । ଗତ ଏକ ସପ୍ତାହ ଧରି ସାରା ଦେଶରେ ଏହି ଥାନାର କାରନାମାକୁ ନେଇ ଚର୍ଚା ଚାଲିଛି । ଅପବାଦ ମୁଣ୍ଡାଇଛି ଭରତପୁର ଥାନା । ଯେଉଁ ଥାନା ଆଦର୍ଶ ଥାନା ହେବା କଥା ସେହି ଥାନା ପୁଳା ପୁଳା ଅପବାଦ ସାଉଁଟିଛି । ସିସିଟିଭି ନାହିଁ । ଅଧିକାରୀଙ୍କ ପାଇଁ ଖାଲି ଥାନା କାହିଁକି ସାରା ଓଡ଼ିଶା ଦୁର୍ନାମ ପାଇଛି । ପୋଲିସର ସମ୍ମାନ ହାନି ହୋଇଛି । ପୋଲିସର ବିରକ୍ତିକର ବ୍ୟବହାର ସମସ୍ତେ ଏବେ ସାେସିଆଲ ମିଡିଆରେ ସେୟାର କରୁଛନ୍ତି । ତେଣୁ ସ୍ବତନ୍ତ୍ର ପୂଜାର ଆୟୋଜନ କରିଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି ଦୀପକ ଖଣ୍ଡାୟତରାୟ । ପୂଜାପାଠ ସହ ଥାନା ଗେଟ୍ରେ ଲଙ୍କାଲେମ୍ବୁ ଝୁଲାଯାଇଥିବା ଦେଖିବାକୁ ମିଳିଛି । ସେପଟେ ହାଇକୋର୍ଟ ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି । ଏହା ସହ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଏହା ମଧ୍ୟରେ ଭରତପୁର ଥାନା ଘଟଣାରେ ବିରୋଧୀଙ୍କ ଦାବି ଯୋଗୁଁ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି ।