ବାଲେଶ୍ବର : ବାଲେଶ୍ବର ଲୋକସଭା ଆସନ ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ଏଥର ବାଲେଶ୍ବରରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏହି ଆସନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ଗତ ଥର ଏଠାରୁ ଜିତିଥିଲା । ଏହି ଆସନରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରି ବିଜେପି ପୁଣି ଜିତିବାକୁ ଆଶା ରଖିଥିବା ବେଳେ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ଜିତିବାକୁ ଚାହୁଁଛି ।
ଫାୟାରବ୍ରାଣ୍ଡ ବିଜେପି ନେତା ଲେଖଶ୍ରୀ ସାମନ୍ତସିଂହରଙ୍କୁ ଟିକେଟ ଦେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ବିଜେଡି । ନିଜ ଦଳର ଫାଟକୁ ବଢ଼ାଇନଥିବା ବେଳେ ବିଜେପି ଭୋଟରେ ଫାଟ ବଢ଼ାଇଛି । ଏହି ନିର୍ବାଚନମଣ୍ଡଳୀରେ ସମସ୍ତ ବିଜେଡି କର୍ମୀଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି ଦଳ । ଅବସରପ୍ରାପ୍ତ ସହକାରୀ ପ୍ରଫେସର ହେଉଛନ୍ତି ଲେଖାଶ୍ରୀ । ସେ ନୀଳଗିରିର ବୋହୁ ହୋଇଥିବାରୁ ତାଙ୍କୁ ଫାଇଦା ମିଳିପାରେ । 2019 ରେ ଯେପରି ମହିଳାମାନଙ୍କୁ 33 ପ୍ରତିଶତ ଟିକେଟ୍ ଦେବାକୁ ଦଳ ଲକ୍ଷ୍ୟ ରଖିଥିଲା, ଏଥର ମଧ୍ୟ ତାହା କରିଛି ।
2014 ରେ ବିଜେଡି ପ୍ରାର୍ଥୀ 41.33 ପ୍ରତିଶତ ଭୋଟ୍ ପାଇ 1.41 ଲକ୍ଷ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । 2019 ରେ ବିଜେପି ମୋଦିଙ୍କ ହାଓ୍ବାରେ ଭୋଟ ହାର 27.81 ପ୍ରତିଶତରୁ 41.79 ପ୍ରତିଶତକୁ ବୃଦ୍ଧି ପାଇ ଜିତିଥିଲା। ଆଞ୍ଚଳିକ ଦଳ ବିଜେଡିକୁ ଦ୍ୱିତୀୟ ସ୍ଥାନକୁ ଠେଲିଥିଲେ ପ୍ରତାପ । 2009 ରେ କଂଗ୍ରେସର ଭୋଟ୍ ଅଂଶ 35.17 ଥିଲା । ଯାହା କି 2019 ରେ 15.5 ପ୍ରତିଶତକୁ ଖସି ଆସିଥିଲା ।
୨୦୧୯ ନିର୍ବାଚନରେ ପ୍ରତାପ ଏଠାରେ ବିଜୟୀ ହୋଇଥିଲେ । ଏଥରକ ବିଜେଡିରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲେଖାଶ୍ରୀ । ବିଜେଡି ସର୍ବଦା ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇଆସିଛି ଏହା ପ୍ରମାଣ ପାଇଁ ମହିଳାଙ୍କୁ ଟିକେଟ ଦେଇଛି । ଚଳିତ ନିର୍ବାଚନରେ ଦଳ ବରଗଡ଼, କୋରାପୁଟ, ଆସିକା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଭଳି ୬ଟି ଲୋକସଭା ଆସନ ପାଇଁ ମହିଳା ପ୍ରାର୍ଥୀ ଘୋଷଣା କରିସାରିଛି। ରାଜ୍ୟରେ ମୋଟ ଲୋକସଭା ଆସନ ୨୧ର ଏକ ତୃତୀୟାଂଶ ସଂଖ୍ୟା ହେଉଛି ୭। ତେଣୁ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଆଇନ ପ୍ରଣୟନ ଦୃଷ୍ଟିରୁ ବିଜେଡି ବାଲେଶ୍ୱର ଆସନରେ ମହିଳା ପ୍ରାର୍ଥୀ ଦେଇ ନାରୀ ସଶକ୍ତୀକରଣକୁ ଏଥର ନିର୍ବାଚନ ପ୍ରସଙ୍ଗ କରି ବିଜେପିକୁ ରାଜ୍ୟବ୍ୟାପୀ ଘେରିବାକୁ ଯୋଜନା କରିଛି ।
ବିଜେପି ମାତ୍ର ଦୁଇଟି ସ୍ଥାନରେ ମହିଳା ପ୍ରାର୍ଥୀ ଦେଇଥିବାରୁ ମହିଳାଙ୍କୁ ସମ୍ମାନ ବିଜେଡି ଦେଉଛି ଏହା ହିଁ ବିଜେଡି ଚାହିଁଛି । ଲେଖାଶ୍ରୀ ପ୍ରତିପକ୍ଷ ପ୍ରତାପଙ୍କ କେତେ ମୁକାବିଲା କରିବେ ତାହା ଦେଖିବା କଥା । ବିଜେଡି ଗତ ନିର୍ବାଚନରେ ଆସିକା ଲୋକସଭାରୁ ସ୍ବୟଂ ସହାୟକ ଗୋଷ୍ଠୀ ସମୂହର ନେତୃତ୍ବ ନେଉଥିବା ଜଣେ ସାଧାରଣ ମହିଳା ପ୍ରମିଳା ବିଶୋୟଙ୍କୁ ପ୍ରାର୍ଥୀ କରି ରାଜ୍ୟବ୍ୟାପୀ ମହିଳା ସଶକ୍ତୀକରଣକୁ ପ୍ରସଙ୍ଗ କରି ରାଜନୈତିକ ଫାଇଦା ପାଇଥିଲା। ଏଥର ବାଲେଶ୍ବରରେ ଲେଖାଶ୍ରୀ ଏବଂ ପ୍ରତାପଙ୍କ ବଡ଼ ଫାଇଟ୍ ଦେଖିବାକୁ ମିଳିବ ।