ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ରଖିଲେ ପ୍ରତିକ୍ରିୟା । ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବରୁ ପ୍ରଥମଟି କାର୍ଯ୍ୟକାରୀ ହୋଇଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ଉପସ୍ଥିତିରେ ଆଜି ୪ ଦ୍ୱାର ଖୋଲାହେଲା । ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏ… ଆଗାମୀ ଦିନରେ ଶୃଙ୍ଖଳିତ ଦର୍ଶନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଶ୍ରୀମନ୍ଦିରର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିଛୁ । ଶ୍ରଦ୍ଧାଳୁଙ୍କ ଅସୁବିଧା ନହେବାକୁ ପଦକ୍ଷେପ ନିଆଗଲା । ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ହୋଇଛି । ନୀତିକାନ୍ତିରେ କେମିତି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଧୀରେଧୀରେ ଅନ୍ୟାନ୍ୟ ସମସ୍ୟାର ବି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ତୀକ୍ଷ୍ଣ ନଜର ଥିବା କହିଛନ୍ତି ।