ଆଜି ହିଞ୍ଜିଳିରୁ ୨୦୨୪ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସତ କିନ୍ତୁ ତାଙ୍କ ଭାଷାରୁ ଯାହା ବୁଝାପଡ଼ୁଛି ସେ ବିଜେପିର ଲୋକାଲ ଲିଡରଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣିଥରେ ଯୋଡ଼ିଶଙ୍ଖକୁ ଆର୍ଶୀବାଦ କରିବାକୁ କହିବା ସହ ବିରୋଧୀଙ୍କ କଥାକୁ ବିଶ୍ବାସ ନକରିବାକୁ ଆହ୍ବାନ ଦେଇଛନ୍ତି ।
ମଞ୍ଚରୁ ଥାଇ ବିରୋଧୀଙ୍କୁ ଯେଉଁ ଭାଷା ସେ ପ୍ରୟୋଗ କରିଛନ୍ତି ସେଥିରେ ମୋଦିଙ୍କ ନାମ ନାହିଁ । ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହାର ସାରାଂଶ ହେଲା ବିକାଶର ବିରୋଧୀଙ୍କୁ ଓଡ଼ିଶାବାସୀ ବାରମ୍ବାର ଜବାବ ଦେଇଛନ୍ତି । ତାର ମାନେ ହେଉଛି ଲୋକାଲ ବିଜେପି ନେତାମାନେ ଏଠି ବାରମ୍ବାର ସରକାର ଗଠନ କରିବାକୁ କହି ନିରାଶ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀମାନେ କେବଳ ଆତ୍ମପ୍ରଚାର କରୁଛନ୍ତି , ଓଡ଼ିଶାର ବିକାଶ ପାଇଁ ସେପରି କିଛି କରିନାହାଁନ୍ତି ।
ମୁଖ୍ୟମନ୍ତ୍ରୀ ଉଦାହରଣ ଦେଇ କହିଛନ୍ତି ଶ୍ରୀମନ୍ଦିର ପ୍ରକଳ୍ପ, ଏକାମ୍ର , ସମଲେଇ ପ୍ରକଳ୍ପ ହେଉଛି ତାଙ୍କର ସରକାରଙ୍କର ବଡ଼ ଉପଲବ୍ଧି । କିନ୍ତୁ ଏସବୁ କାମକୁ ବିଜେପିର ଲୋକାଲ ନେତାମାନେ ବିରୋଧ କରିଛନ୍ତି । ଏହା ସହ ପୁଣି ତାଙ୍କ ଦଳ ସରକାର ଗଠନ କରିବ ବୋଲି କହିଛନ୍ତି । ତେବେ ବଡ଼ କଥା ହେଉଛି ବିରୋଧୀଙ୍କୁ ଟାର୍ଗେଟ କରିବା ବେଳେ ମୋଦି କିମ୍ବା ଶାହଙ୍କ ନାମ ନେଇନାହାଁନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଗତ ନିର୍ବାଚନରେ ଅମିତ ଶାହ ନବୀନ ପଟ୍ଟନାୟକଙ୍କୁ ଜୋରଦାର କଟାକ୍ଷ କରି ସରକାର ଗଢ଼ିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ବିଜେଡି ଦଳ ମଧ୍ୟ ବିଜେପି ଉପରେ ମୋଦି ଏବଂ ଶାହଙ୍କ ଉପରେ ବର୍ଷିଥିଲା । କିନ୍ତୁ ଶାହ ଆସିବା ପୂର୍ବରୁ ଏଥର ନବୀନ ସେଭଳି କିଛି ଟାର୍ଗେଟ କରିନାହାଁନ୍ତି । ଆସନ୍ତାକାଲି ଶାହ କିପରି ବିଜେଡି ଉପରେ ଟାର୍ଗେଟ କରୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
2019 ନିର୍ବାଚନରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । ଅନେକ ଆସନରେ ଦୁଇ ଦଳ କମ ମାର୍ଜିନ ଭୋଟରେ ବିଜୟୀ ହୋଇଥିଲେ । ନେତା ଏବଂ କର୍ମୀମାନେ ପରସ୍ପର ଲଢ଼େଇ ଜୋରଦାର କରିଥିଲେ । କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ଦୁଇ ଦଳ ମେଂଟ କରିବା ନେଇ ଉପରସ୍ତରରେ ଆଲୋଚନା କରିଥିବାରୁ ଦୁଇ ଦଳ ନେତାଙ୍କ ମଧ୍ୟରେ ଲଢ଼େଇ ସେତେ ଦେଖିବାକୁ ମିଳୁନାହିଁ ।
2019 ନିର୍ବାଚନ ପୂର୍ବରୁ ଶାହ ଏବଂ ମୋଦି କେବଳ ବିଜେଡିକୁ ଟାର୍ଗେଟ କରିନଥିଲେ ନବୀନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ତେଣୁ ଆସନ୍ତାକାଲି ସୋନପୁରରେ ଶାହ କଣ କହୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଶାହଙ୍କ ରଣନୀତିକୁ ଦେଖି ବିଜେଡି ରଣନୀତି କରିପାରେ । ତେବେ ଲୋକଙ୍କ କହିବା କଥା ଏଠି ଫ୍ରେଣ୍ଡଲି ମ୍ୟାଚ ଚାଲିଛି