ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିକୁ ନେଇ ସାରା ଦେଶରେ ପୁଣି ଚର୍ଚା ଆରମ୍ଭ ହୋଇଛି । 50 ବର୍ଷ ତଳେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ଇନ୍ଦିରା ଗାନ୍ଧୀ । ତେବେ ଏହି ପ୍ରସଙ୍ଗ ଏବେ ପୁଣି ସାରା ଦେଶରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ବିଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ଏହି ପ୍ରସଙ୍ଗ ମନେ ପକାଇଥିବାରୁ ଏହା ଏବେ ପୁଣି ରାଜନୀତିମହଲରେ ସରଗରମ ଚର୍ଚାର ଖୋରାକ ପାଲଟିଛି ।
୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି । ବିଶେଷ କରି ବିରୋଧୀମାନେ ଏବେ ଗଣତନ୍ତ୍ର ବିପଦରେ କହୁଥିବା ବେଳେ ମୋଦି ସରକାରଙ୍କ ପକ୍ଷରୁ ଏହାକୁ ନେଇ ପୂର୍ବ ସମୟ କଥା ମନେପକାଇ ଦିଆଯାଉଛି । ରାଷ୍ଟ୍ରପତି କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ରରେ ସବୁଠାରୁ କଳା ଅଧ୍ୟାୟ ଥିଲା । ଅଷ୍ଟାଦଶ ଲୋକସଭାରେ ପ୍ରଥମ ଅଭିଭାଷଣ ରଖି ରାଷ୍ଟ୍ରପତି କହିଛନ୍ତି, ବିଗତ ଦଶନ୍ଧି ମଧ୍ୟରେ ସମ୍ବିଧାନ ପ୍ରତ୍ୟେକ ଚ୍ୟାଲେଞ୍ଜ ଏବଂ ପ୍ରତ୍ୟେକ ପରୀକ୍ଷାର ସମ୍ମୁଖୀନ ହୋଇଛି। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସମ୍ବିଧାନ ଉପରେ ବହୁତ ବଡ଼ ଆକ୍ରମଣ ଥିଲା ଏବଂ ସମଗ୍ର ଦେଶ ଏଥିରେ ପୀଡ଼ା ଅନୁଭବ କରୁଥିଲା। ଗଣତନ୍ତ୍ରର ପରମ୍ପରା ଭାରତର ମୂଳନୀତିରେ ରହିଥିବାରୁ ଏଭଳି ଅସାମ୍ବିଧାନିକ ଶକ୍ତି ଉପରେ ଦେଶ ବିଜୟୀ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଜରୁରୀ ପରିସ୍ଥିତି ନେଇ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଗତ କିଛିମାସ ଧରି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ଭୟାବହତା ଉପରେ ଗୁରୁତ୍ବାରୋପ କରିଥିବା ବେଳେ କଂଗ୍ରେସ ଏବଂ ଏହାର ସହଯୋଗୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଗତ ୧୦ ବର୍ଷ ଶାସନରେ ଅଘୋଷିତ ଜରୁରୀ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତାମାନେ ସମ୍ବିଧାନ ସୁରକ୍ଷାକୁ ନେଇ ମତ ଦେଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା ବିରୋଧୀଦଳମାନେ ଲୋକମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏପରି ଡ୍ରାମା କରୁଛନ୍ତି ।