ଭୁବନେଶ୍ବର: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘର ଭଙ୍ଗାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସରକାରୀ ଘର ଭାଙ୍ଗିବାର କାରଣ କଣ? ତାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଥିବା ବେଳେ ବବି କିନ୍ତୁ କହିଛନ୍ତି ସେ କରିଥିବା ଅସ୍ଥାୟୀ ଘର ଭାଙ୍ଗିଦେଉଛନ୍ତି । କାରଣ ଘର ଫେରାଇବାର ଅଛି । ଯେହେତୁ ସେ ବିଧାୟକ ନାହାଁନ୍ତି ଘର ଫେରାଇବାକୁ ପଡ଼ିବ । ତେବେ ଭୁବନେଶ୍ଵର କ୍ଵାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି। ଭିତର ପଟୁ ଗେଟ୍ରେ ତାଲା ପକାଯାଇ ଭିତରେ ଭଙ୍ଗା କାମ ଚାଲିଥିବା କିଛି ଗଣମାଧ୍ୟମରେ ପ୍ରସାରିତ ହେଉଛି । ମୁଖ୍ୟ ସରକାରୀ ଘର ଛାଡି ଯେଉଁ ସବୁ ନିର୍ମାଣ କାମ ହୋଇଛି, ସେଗୁଡିକୁ ଭଙ୍ଗାଯାଉଛି। କୁହାଯାଉଛି ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଳା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍। ଆଉ ଏସବୁକୁ ଏବେ ଭାଙ୍ଗି ମାଟିରେ ମିଶା ଯାଉଛି। ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ସେପଟେ କ୍ଵାର୍ଟର୍ସ ଭଙ୍ଗାକୁ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ନିୟମ ଅନୁସାରେ ଏଗୁଡିକୁ ଭଙ୍ଗା ଯାଉଛି।