ଦିନେ କଂଗ୍ରେସ ଓଡ଼ିଶାରେ ରାଜ କରୁଥିଲା । ଆଜି କିନ୍ତୁ ବିରୋଧୀ ଆସନରେ ନାହିଁ । ଛଅ ଛଅ ଥର ସାଧାରଣ ନିର୍ବାଚନ ହାରିଲାଣି କଂଗ୍ରେସ । ୨୪ ବର୍ଷ ଭିତରେ ଓଡ଼ିଶା କଂଗ୍ରେସ ୬ ଜଣ ସଭାପତି ପାଇଛି । ହେଲେ କେହି ବି ଦଳକୁ ସଫଳତା ଦେଇପାରିନାହାଁନ୍ତି । କିନ୍ତୁ ଦଳକୁ ବିଭିନ୍ନ ଗୋଷ୍ଠୀରେ ପରିଣତ କରିଛନ୍ତି । ଦଳ ଭିତରେ ଆଉ ସେଦିନ ପରି ଏକତା ନାହିଁ । କେହି କାହାକୁ ମାନୁନାହାଁନ୍ତି । ନିର୍ବାଚନ ପରେ ଦଳର ନେତାମାନେ ପରସ୍ପର ବିରୋଧରେ ଲାଗିପଡ଼ନ୍ତି । ଯାହାର ପରିଣାମ ହେଲା ନିର୍ବାଚନରେ ଦଳକୁ କିନ୍ତୁ ଆଶା ଅନୁସାରେ ସଫଳତା ମିଳିନାହିଁ । ସବୁବେଳେ ଗୋଷ୍ଠୀ ବିବାଦ କଂଗ୍ରେସର ଏକ ପୁରୁଣା ରୋଗ । ସମସ୍ତଙ୍କର ଆକି ପିସିସି ଚୌକି । ନେତା ନେତା ଲଢେଇରେ ଛନ୍ଦି ହୋଇଛି ଦଳ । ମୁଖିଆ ଚୟନ ହୋଇପାରୁନି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସମସ୍ତ ଯୋଜନା ଫେଲ । ଦଳ ହାରିଲା ସବୁଠି । ପୁଣି ଏବେ ନେତା ନାହାଁନ୍ତି । ଦଳର ମୁରବି ନାହାଁନ୍ତି । ସଭାପତି ନଥିବାରୁ ହାଇକମାଣ୍ଡ କାହାକୁ ଦାୟିତ୍ବ ଦେବେ ସେଇ ଚିନ୍ତାରେ ସମସ୍ତେ ।
ପିସିସି ସଭାପତି ଚୟନରେ କାହିଁକି ହେଉଛି ବିଳମ୍ବ । ହାଇକମାଣ୍ଡ ଦୁଇଟି ପର୍ଯ୍ୟାୟରେ ୧୭ ଜଣରୁ ଅଧିକ ନେତାଙ୍କୁ ଷ୍ଟିଅରିଂ କମିଟି ସଦସ୍ୟ ଦାୟିତ୍ବ ଦେଇ ଚୁପ ବସିପଡ଼ିଛନ୍ତି । ନେତା ବି ଜାଣି ପାରୁନାହାନ୍ତି ଦଳରେ ଚାଲିଛି କ’ଣ ? ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ହରିଆନା ଓ ଜାମ୍ମୁ କାଶ୍ମୀର ନିର୍ବାଚନ ପାଇଁ ଓଡ଼ିଶାରେ ପିସିସି ସଭାପତି ଚୟନ ବିଳମ୍ବ ହେଉଛି । ଶୀଘ୍ର ଦଳ ସବୁ ଦିଗକୁ ବିଚାର କରି ଜଣକୁ ପିସିସି ସଭାପତି ଦାୟିତ୍ବ ଦେବ ।
ତିନି ମାସ ବିତିଲାଣି ତଥାପି ଓଡ଼ିଶା କଂଗ୍ରେସର ପିସିସି ସଭାପତି ଚେୟାର ଖାଲି ପଡିଛି । ବିନା ସଭାପତିରେ ରାଜ୍ୟରେ କଂଗ୍ରେସ ସଂଗଠନ ସ୍ଥାଣୁ ପାଲଟିଯାଇଛି । କିଏ ପିସିସି ସଭାପତି ପାଇଁ ଯୋଗ୍ୟ ତାକୁ ନେଇ ନିଷ୍ପତ୍ତି ନେଇ ପାରୁନାହାନ୍ତି ହାଇକମାଣ୍ଡ । ବାରମ୍ବାର ହାରିବା ପରେ ରାଜ୍ୟ କଂଗ୍ରେସର ଏପରି ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦଳୀୟ କର୍ମୀ ଓ ନେତା । ଶୀଘ୍ର ପିସିସି ସଭାପତି ନାଁ ଘୋଷଣା ହେବ ବୋଲି କହି ଓଡ଼ିଶା ନେତାଏ ଚୁପ । ମୁଖିଆଙ୍କ ବିନା ହାତି ଶିବିରର ରାଜନେୈତିକ ଓ ସାଂଗଠନିକ କାର୍ଯ୍ୟକ୍ରମ ରାଜଧାନୀରୁ ଗାଁ ସବୁଠି ଶିଥିଳ ପଡ଼ିଯାଇଛି ।
ଦିନ ବିତୁଛି ହେଲେ ନିଷ୍ପତ୍ତି ହୋଇପାରୁନି । ୨୪ ବର୍ଷ ଧରି କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ଭୋଟହାର ୧୩ ପ୍ରତିଶତରେ ପହଞ୍ଚିଛି । ଛଅ ଛଅଟି ସାଧାରଣ ନିର୍ବାଚନରେ ଫେଲ । ଏପରି ସ୍ଥିତିରେ ଓଡ଼ିଶା କଂଗ୍ରେସକୁ କିଏ ଦେବ ସଞ୍ଜୀବନୀ ? କିଏ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ? ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଘାଣ୍ଟି ହେଉଛନ୍ତି । ତେବେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ ।