ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଣ୍ଡି ବେଳେ ଘଟିଥିବା ଅଘଟଣ ନେଇ ଚିଠି ଲେଖିବା ପରେ, ଏହାର ଜବାବ ରଖିଛନ୍ତି ମୋହନ । ସେ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି । ସେ ସାରା ଜଗତ ଅର୍ଥାତ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିରେ ସାରା ଜଗତ ଦୁଃଖିତ । ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ୱାଭାବିକ ବୋଲି ନବୀନଙ୍କୁ ଚିଠି ଲେଖି କହିଛନ୍ତି ନବୀନ । ଏଥିସହ ସେ ମଧ୍ୟ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ବୋଲି କହିଛନ୍ତି ।ସେପଟେ ଏହି ଅଘଟଣ ଘଟିବା ପରେ, ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ନବୀନଙ୍କ ଚିଠିକୁ ସେ ଗୁରୁତ୍ୱର ସହ ପଢିଛନ୍ତି ବୋଲି ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ନବୀନଙ୍କ ପରାମର୍ଶ ତାଙ୍କ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖି ଜଣାଇଛନ୍ତି ।