୧୦ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆଲୋଚନା ହେବ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନା ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ହେବ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ହେବ । ସେହି ଦିନ ସନ୍ଧ୍ୟାରେ ଶପଥ ନେବେ ବିଜେପିର ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ।ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ମିଳେ, ତେବେ ବିଧାୟକଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରୀଶ ମୁର୍ମୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।