ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଲେଖିଛନ୍ତି ମମତା ମହନ୍ତ । ସେ ଲେଖିଛନ୍ତି ଯେ ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ।