ନବୀନ ନିବାସରେ ବିଜେଡିର ବିଧାୟକମାନେ ଏକାଠି ହେଲେ। ପରସ୍ପର ଭିତରେ ଘଣ୍ଟାଏ ଆଲୋଚନା କଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ କଥା ହେଲେ। କିନ୍ତୁ ପାଞ୍ଚ ବର୍ଷ ହେଲା ଜାରି ରହିଥିବା ଏକ ଧାରା ଆଜି ଭାଙ୍ଗି ଯାଇଥିଲା। ସେଠାରେ ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନ ନଥିଲେ କି ନବୀନଙ୍କ ନାଁ ନେଇ ବିଧାୟକମାନଙ୍କୁ ଟ୍ୟୁସନ୍ କରୁ ନଥିଲେ। ଏହି ଘଟଣାଟି ଦଳ ଭିତରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।ବିଧାୟକମାନଙ୍କୁ କାହାର କ’ଣ କହିବାର ଅଛି ବୋଲି ନବୀନ ପଚାରିଥିଲେ। ତେବେ କେହି କିଛି କହି ନଥିଲେ। ସମସ୍ତେ ନବୀନଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ପ୍ରଶଂସା କରିଥିଲେ। ବିଜେଡି ଏକ ଦାୟିତ୍ବବାନ ବିରୋଧୀ ଦଳ ଭାବେ କାମ କରିବ ବୋଲି ସମସ୍ତେ କହିଥିଲେ। ନବୀନ ନିବାସ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଥିଲେ, ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ପରାଜୟର କାରଣ ଖୋଜିବ। ଦଳ କିଭଳି ଆଗକୁ ବଢ଼ିବ ଏବଂ ବିରୋଧୀ ଦଳ ଭାବେ ବିଜେଡିର କ’ଣ ଭୂମିକା ରହିବ, ସେ ସମ୍ପର୍କରେ ଆଲୋଚନା ହୋଇଛି।