ପୁରୀ: ବିଜେଡିର ପାର୍ଟି ଅଫିସ୍ ‘ଶଙ୍ଖ ଭବନ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଏହାର ତଦନ୍ତ ହେବ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗର ଉତ୍ତର ରଖିଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ କହିବା କଥା ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇଛି । ତେଣୁ ଶଙ୍ଖ ଭବନ ବେଆଇନ ଭାବେ ନିର୍ମାଣ ହୋଇଛି । ସବୁ ନିୟମ କାନୁନକୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କଠାରୁ କମ ଦରରେ କିଣାଯାଇଥିବା କୁହାଯାଇଛି ।
୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ଶଙ୍ଖ ଭବନ। ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮। ପ୍ରଥମ ତିନୋଟି ପ୍ଲଟର କିସମ ଘରବାଡ଼ି ଥିଲା, ଆଉ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮ଜାଗାର କିସମ ହେଉଛି ରୋଡ୍ ବା ସଡ଼କ। ଏହି ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ତେଣୁ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଶ୍ରୀ ପୂଜାରୀ ।