ଭଦ୍ରକ : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୁଣି ରାଜନୈତିକ ହିଂସା ଦେଖାଯାଇଛି । ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି । ଏହି ଘଟଣାକୁ ନେଇ ବିଜେପି କର୍ମୀମାନେ ରସ୍ତା ଅବରୋଧ କରିବା ସହ ନ୍ୟାୟ ମାଗିଛନ୍ତି । ସେପଟେ ରାଜ୍ୟ ବିଜେପି ନେତାମାନେ ବିଜେଡି ନେତାଙ୍କୁ ଦୋଷ ଦେଇଛନ୍ତି । ଘଟଣାରେ ପୁଲିସ ଗତକାଲି ରାତିରେ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା ବିଜେପି । ସୂଚନା ଅନୁସାରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ଓ ତାଙ୍କ ଟିମ୍ ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହିଥିଲେ । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏପରିକି ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।