ରାଜନୀତିରେ ବୟାନବାଜି ଚାଲିଛି । ବିଜେପି କହୁଛି ବିଜେଡି ନେତା ବିଜେପିରେ ମିଶିବେ । ବିଜେଡି କହୁଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ । ସଂଖ୍ୟାକୁ ନେଇ ଜାରି ରହିଛି ନେତାଙ୍କ ବୟାନବାଜୀ।
ନିର୍ବାଚନ ପରେ ବିଜେପି ସରକାରକୁ ୬ ମାସ ବିତିଲାଣି । ହେଲେ ଦଳ ଭାଙ୍ଗିବା ସଂଖ୍ୟା ଗଣିତକୁ ନେଇ ଜାରି ରହିଛି ବୟାନବାଜୀ। ବିଜେଡି ନେତା କହିଲେଣି ଆଉ ୧୦ ଦରକାର। ହେଲେ ଆଉ ୧୦ ବିଧାୟକ ଆସିବେ କେଉଁଠୁ । ସେପଟେ ବିଜେପି ବିଧାୟକ କହିଲେଣି ତାଙ୍କର ସଂପର୍କରେ ବିଜେଡିର ୨୭ ବିଧାୟକ। ତେବେ ୨୭ ଆସିଲେ ହେବ କଣ?
ବିଜେପି ନେତା -ବିଜେଡି ନେତା ଏବେ କଥା କହିବାରେ ମାହିର । ଶାସକ ବିଜେପିର ନେତା କହୁଛନ୍ତି ବିଜେଡି ଭାଙ୍ଗିଯିବ । ବିରୋଧୀ ବିଜେଡି ନେତା କହୁଛନ୍ତି ଅପେକ୍ଷା କର ଆମେ ପୁଣି ସରକାର କରିବୁ ।
ବିଜେଡି ନେତା ଅତନୁ କହୁଛନ୍ତି ଆମ ସରକାର ପାଇଁ ଆଉ ୧୦ ଦରକାର। ହେଲେ ୧୦ ବିଧାୟକ କେମିତି ଆସିବେ ବିଜେପିରୁ ତାହାର ସଂଭାବନା କଣ ? ତାହା କହୁନାହାଁନ୍ତି ।
ଓଡ଼ିଶା ବିଧାନସଭାରେ ମୋଟ ୧୪୭ ବିଧାୟକ ଥିବା ବେଳେ ବହୁମତ ପାଇଁ ଦରକାର ୭୪ ଆସନ। ତେବେ ୨୦୨୪ ନିର୍ବାଚନରେ ବିଜେପି ୭୮ ଆସନ ପାଇ ସରକାର ଗଢିଛି। ଅଧିକା ଚାରି ଆସନ ବିଜେପି ଅଧିକା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ମୋଦିଙ୍କ ଇମେଜ ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ପାଖରେ ୫୧ ଆସନ ରହିଛି । କଂଗ୍ରେସର ୧୪ ବିଧାୟକ ଅଛନ୍ତି । ସ୍ବାଧୀନ ବିଧାୟକ ଏବଂ ଅନ୍ୟଜଣେ ବିଧାୟକ ମିଶି ରହିଛନ୍ତି ୪ ଜଣ।
ଅତନୁଙ୍କ ପୂର୍ବରୁ ଆଗରୁ ମୁନା ଖାଁ, ବିଜେଡି ସାଂସଦ କହିଥିଲେ ଯେ ତାଙ୍କ ସଂପର୍କରେ ଅଛନ୍ତି ବିଜେପି ବିଧାୟକ। ସେ ଏହି ସଂଖ୍ୟା ୧୪ କହିଥିବା ବେଳେ ଏବେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଲେଣି ଆଉ ୧୦ ଦରକାର।
ଅତନୁ ହିସାବ ଦେଇ କହିଛନ୍ତି ବିଜେଡି ୫୧,କଂଗ୍ରେସ ୧୪, ସ୍ବାଧୀନ ୩ ଏବଂ ଆଉ ଜଣେ ସିପିଆଇଏମ ବିଧାୟକ ତାଙ୍କ ସହ ଅଛନ୍ତି, ଏବେ ଆଉ ମାତ୍ର କିଛି ଦରକାର ମାନେ ତାଙ୍କ ହିସାବରେ ଆଉ ୧୦। ହେଲେ ୧୦ ଆସିବ କେଉଁଠୁ ? ବିଜେଡି ନେତାଙ୍କ ଦାବି ଅନୁସାରେ ଯଦି ଶାସକ ଦଳର ୧୦ ବିଧାୟକ ପଟ୍ଟ ପରିବର୍ତ୍ତନ କରନ୍ତି ତେବେ ସେମାନେ ଅଯୋଗ୍ୟ ହେବେ। ସେହିପରି କୋର୍ଟରେ କେତେକ ବିଧାୟକଙ୍କର ନିର୍ବାଚନୀ ମାମଲା ଚାଲୁଛି। ତେଣୁ କୋର୍ଟରେ ହାରଜିତ ଉପରେ ବିଜେଡି ନଜର ରଖିଛି କି ? ହେଲେ କହିବାକୁ ଗଲେ ବିଜେଡିର ନେତାଙ୍କ ମାମଲାା ମଧ୍ୟ କୋର୍ଟରେ ରହିଛି । କୋର୍ଟରେ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ । ସେତେବେଳକୁ ପାଂଚ ବର୍ଷ ବିତିଯାଇଥିବ ଏହା ମଧ୍ୟ ନେତାମାନେ ଜାଣିଛନ୍ତି ।
ଅତନୁଙ୍କ ବିଜେଡିର ସଂଖ୍ୟା ଗଣିତକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଜେପିର ପ୍ରଶ୍ନ, ୧୦ ଗଲେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବ ଏହା ବିଜେଡି ନେତା ଜାଣିବା ଦରକାର । ଆସିକା ବିଧାୟକ ସରୋଜ ପାଢୀଙ୍କ ଦାବି କରି କହିଛନ୍ତି ବିଜେଡିର ୨୭ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଆଗକୁ କଣ ହେବ ଦେଖିବାକୁ ବାକି ରହିଲା ।