ବିଜେଡିରୁ ନେତା ଡେଉଁଛନ୍ତି ବିଜେପି ପୋଖରୀକୁ । ଏବେ ଲମ୍ବା ଧାଡି ଲାଗିଛି । ଏହି କ୍ରମରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଡ଼ ଭୁଷୁଡ଼ି ପଡ଼ିବା ଚର୍ଚା ହେଉଛି । ଏହାର କାରଣ ହେଉଛି ତାଙ୍କ ହାତ ଛାଡ଼ିଛନ୍ତି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେମାନେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଏନେଇ କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶିବିର ନିରବ ରହିଛି ।
ଏହି ଦଳ ଡିଆଁକୁ ନେଇ ଏବେ ବିଜେଡିରେ ଛନକା । ବିଜେପି ସରକାର ଆସିବା ପରେ ଏବେ ତଳସ୍ତରରେ ନେତା ବିଜେପି ପ୍ରତି ଆକର୍ଷିତ ହେଉଛନ୍ତି । ଆଜି ସେମାନେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସରପଞ୍ଚ ଓ ନାଏବ ସରପଞ୍ଚମାନେ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି।
ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ। ଆଉ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏଥର ଦଳ ରୋହିତଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ଲୋକମାନେ ତାଙ୍କ ଭରପୂର ସମର୍ଥନ ଦେଇଥିଲେ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୟୀ କରାଇ ବିଧାନସଭାକୁ ପଠାଇଥିଲେ। ତଥାପି ତାଙ୍କର ଏବେ କାଟତି ଦଳରେ ସେତେଟା ନାହିଁ ଚର୍ଚା ହେଉଛି ।