ଓଡ଼ିଶାର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଏତଲା ଦେଇଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ। ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇଥିବା ଅଭିଯୋଗରେ ହ୍ୟୁମାନ ଓ ରୁକୁଙ୍କ ନାଁରେ ଏତଲା ଦିଆଯାଇଛି।ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଛନ୍ତି ଏବଂ ହ୍ୟୁମାନ ଏହାକୁ ଶୁଣି ହସି ହସି ଗଡ଼ି ଯାଉଛନ୍ତି। ଭିଡିଓରେ ଆହୁରି କେତେକ ଲୋକ ଏହାକୁ ଶୁଣି ହସୁଥିବା ଶୁଣାଯାଉଛି, ଯାହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଦାବି ହୋଇଛି। କେବଳ ଏହି ଦୁଇଜଣ ନୁହେଁ ଯେଉଁମାନେ ଏହି ଭିଡିଓ ସହ ଜଡ଼ିତ ଏବଂ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି।