ଆପଣଙ୍କ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି । ତାର ଅଶ୍ଲିଳ ଭିଡିଓ ଭାଇରାଲ କରିବୁ । ତୁରନ୍ତ ଲକ୍ଷେ ଟଙ୍କା ପଠା । ଏହା ଶୁଣି ଶିକ୍ଷୟିତ୍ରୀଙ୍କ ବ୍ଲଡ ପ୍ରେସର ବଢ଼ିଗଲା । ପୁଅକୁ କହିଲେ ଟଙ୍କା ପଠାଇବା ପାଇଁ । ପୁଅ କହିଲା ଏ ନମ୍ବର ପାକିସ୍ତାନ ନମ୍ବର । ଝିଅ ଘରେ ଅଛି । ବ୍ୟସ୍ତ ହୁଅନି । କିନ୍ତୁ ସାଇବର ଅପରାଧୀଙ୍କ ବାରମ୍ବାର ଫୋନରେ ଫସିଲେ ଶିକ୍ଷୟିତ୍ରୀ । ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ତାଙ୍କୁ ମାନସିକ ଭାବେ ଏତେ ଆଘାତ ଦେଲା ଯେ ସେ ଘରକୁ ଆସିବା ପରେ ଅସୁସ୍ଥ ହେଲେ । ଡାକ୍ତରଖାନା ଗଲାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ମୃତା ଶିକ୍ଷୟିତ୍ରୀଜଣକ ୫୮ ବର୍ଷୀୟା ମାଳତୀ ବର୍ମା । ସେ ରାଜକୀୟ କନ୍ୟା ଜୁନିୟର ହାଇସ୍କୁଲରେ ପାଠ ପଢ଼ାଉଥିଲେ। ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍ ଆପ୍ କଲ୍ ଆସିଥିଲା। ଡିପିରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା। ଏପରି କଲ୍ ଆସିବା ପରେ ଭୟଭୀତ ହୋଇ ପଡ଼ିଥିବା ମାଳତୀ ନିଜ ପୁଅ ଦିବ୍ୟାଶୁଂଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ ଓ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ମାତ୍ର ଏଥିରେ ବିଶ୍ୱାସ ନ କରି ଦିବ୍ୟାଶୁଂ ମା’ଙ୍କୁ ଉକ୍ତ ନମ୍ବର ମାଗିଥିଲେ ଓ ତାହା ପାକିସ୍ତାନ ନମ୍ବର ବୋଲି ଜାଣି ପାରିଥିଲେ। ଏହା ଏକ ଫର୍ଜି କଲ୍ ଓ ଏହାକୁ ନେଇ ବ୍ୟସ୍ତ କିମ୍ବା ଚିନ୍ତିତ ନ ହେବାରୁ ସେ ମା’ଙ୍କୁ ବୁଝାଇଥିଲେ। ଏପରିକି ଭଉଣୀକୁ କଲ୍ କରି ମା’ ସହ କଥା କରାଇଥିଲେ। ଏହାପରେ ସାଇବର ଠକମାନେ ମାଳତୀ ଦେବୀଙ୍କୁ ୪ ଘଣ୍ଟାରେ ବାରମ୍ବାର ଫୋନ କରିଚାଲିଲେ । ଗଭୀର ମାନସିକ ଆଘାତ ପାଇଥିବା ମାଳତୀ ଦେବୀ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।