କଥାରେ ଅଛି ରଖିଲେ ହରି, ମାରିବ କିଏ ? ମହାନଦୀରେ ପ୍ରାୟ ୫୦ କିମି ଭାସି ଆସିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା। ଯାହାକୁ ଉଦ୍ଧାର କରିବା ପରେ ଏବେ ତାଙ୍କୁ ନେଇ ସବୁଠି ଚର୍ଚା । ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ବି ସେ ଛତିଶଗଡ଼ରୁ ଆସି ଝାରସୁଗୁଡ଼ା ପଲସଦାରେ ଲାଗିଥିଲା ବେଳେ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମହିଳା ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ । କିନ୍ତୁ ସେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି। ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ। ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି। ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।