କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ ଉତ୍କଣ୍ଠା ବଢ଼ୁଛି । ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଆଉ କିଛି ସମୟ ପରେ ହେବ । ଏନେଇ ବୈଠକରେ ନାମ ଘୋଷଣା କରାଯିବ । ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମକୁ ନେଇ ଗଣମାଧ୍ୟମରେ ବେଶୀ ଚର୍ଚା ହେଉଛି । ସୁରେଶଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପଶ୍ଚିମ ଓଡ଼ିଶା କାର୍ଡ ଖେଳିପାରେ ବୋଲି କୁହାଯାଉଛି ।
ପୂର୍ବରୁ ଦଳର ସଭାପତି ଥିବା ସୁରେଶ ପୂଜାରୀ ଦଳର ଜଣେ ପୁରୁଣା ଓ ଅଭିଜ୍ଞ ନେତା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଯେଉଁ ଦୁଇ ଲୋକସଭା ସାଂସଦ ସ୍ଥାନ ପାଇଛନ୍ତି, ସେମାନେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ସୁରେଶଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଗଲେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରୁ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଏହା କରି ସବୁ କ୍ଷେତ୍ରକୁ ଗୁରୁତ୍ବ ଦେବାକୁ ଚାହୁଁଛନ୍ତି କେନ୍ଦ୍ରୀୟ ବିଜେପି ନେତା ।
ନୂଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ ଭାବମୂର୍ତ୍ତି ମଧ୍ୟ ତାଙ୍କର ପାଖାପାଖି ରହିବାର ଆବଶ୍ୟକତା ରହିଛି ବୋଲି ଦଳର କେନ୍ଦ୍ରୀୟ ନେତୃତ୍ବ ଚିନ୍ତା କରୁଛନ୍ତି। ପୁଣି ବିଜେପି ଯେପରି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି, ତାହାକୁ ପୂରଣ କରିବା ପାଇଁ ଏକ ଦୃଢ଼ ସରକାର ଦରକାର।
ସାଧାରଣ ନିର୍ବାଚନ ଫଳ ବାହାରିବାର 9 ଦିନ ପରେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଏଭଳି ଗତ 24 ବର୍ଷ ହେଲା ଦେଖିବାକୁ ମିଳିନଥିଲା । କାରଣ ବିଜେଡି ଗତ 24 ବର୍ଷ ଧରି ରାଜ୍ୟରେ ଶାସନ କରୁଥିଲା । କଂଗ୍ରେସ ସରକାର ସମୟରେ ଏପରି ମୁଖ୍ୟମନ୍ତ୍ରୀ ଚୟନ ହେଉଥିଲା । ଏବେ ପୁଣି ବିଜେପି ଜାତୀୟ ଦଳ ହୋଇଥିବାରୁ କେନ୍ଦ୍ରୀୟ ନେତା ଦିଲ୍ଲୀରୁ ଆସୁଛନ୍ତି ନେତା ବାଛିବା ପାଇଁ । ଆଜି ବିଧାୟକମାନେ ଏକାଠି ବସି ସେମାନଙ୍କ ନେତା ବାଛିବେ। କେନ୍ଦ୍ରୀୟ ନେତା କାହାକୁ ଯଦି ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବେ ଏହାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ବିଧାୟକଙ୍କ ଆଗରେ ଉପସ୍ଥାପନ କରିବେ। ଯଦି ବିଧାୟକମାନେ ଏକାଧିକ ନେତାଙ୍କ ନାମ ସୁପାରିସ୍ କରନ୍ତି ତେବେ ଏହା ଉପରେ ଦୁଇ କେନ୍ଦ୍ରୀୟ ନେତା ଆଲୋଚନା କରିବେ। ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିସ କରିବେ। ଏହା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରାଯିବ ।