ରାଜ୍ୟ କଂଗ୍ରେସରୁ ବିବାଦ ପିଛା ଛାଡୁନି । ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ । କମିଟିରେ ବରିଷ୍ଠ ନେତାଙ୍କ ନାଁ ନଥିବରୁ ପୁଣି ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭଳି ବରିଷ୍ଠ ନେତା କମିଟିରେ ନାହାଁନ୍ତି । ଯାହାକୁ ନେଇ ଏମାନେ ଖପ୍ପା। ତାଲିକାକୁ ନେଇ ନରସିଂହ କହିଛନ୍ତି, ବୋଧହୁଏ ଦଳରେ ମୋର ଆଉ କାମ କରିବାର ଆବଶ୍ୟକତା ନଥିବା ହାଇକମାଣ୍ଡ ଅନୁଭବ କରିଛନ୍ତି। ଟିକେଟ ବଣ୍ଟନକୁ ନେଇ ପ୍ରଥମେ ବିବାଦ ହୋଇଥିଲା । ଦଳର ଇସ୍ତାହାର, ପ୍ରଚାର କମିଟିର ସ୍ବଚ୍ଛତା ଉପରେ ଅନେକ ନେତା ପ୍ରଶ୍ନ କରିଛନ୍ତି । ୯ରୁ ୯୦ ମିଶନ କଣ ହେଲା? ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ ଉଠାଉଛନ୍ତି । ୯ରୁ ୧୪ ହେଲା ବିଧାୟକ ସଂଖ୍ୟା ହେଲେ ଭୋଟ ହାର କମିଲା । କିଛି ବୈଠକ ହେଲାନାହିଁ । କାହାର ଦାୟିତ୍ବ କଣ ? କେଉଁଠି ଭୁଲ ରହିଲା କିଛି ଆଲୋଚନା ହେଲାନାହିଁ । ଏପରି ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ ଘଟଣା ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଦୋଷ ଦେଉଥିଲେ । କିଛିଦିନ ବହିସ୍କାର ଓ ଆକ୍ସନ୍ ଚାଲିଲା ପରେ ଦଳର ରାଜ୍ୟ ମୁଖ୍ୟାଳୟରେ ତାଲା ପଡ଼ିଲା । ତାହାର ସମାଧାନ କିଛି ହେଲା ନାହିଁ । ଏବେ କଂଗ୍ରେସରେ ସଭାପତି ପଦ ଶୂନ୍ୟ ରହିଛି । ନୂଆ ସଭାପତି ପାଇଁ ଲବି ମଧ୍ୟ ଜୋରଦାର ଚାଲିଛି । ତେବେ ବର୍ଷ ବର୍ଷ ଧରି କାହିଁକି ତ୍ରୀବ ହେଉଛି କଂଗ୍ରେସ କନ୍ଦଳ ? ଏହାର ଉତ୍ତର କାହା ପାଖରେ ନାହିଁ । ବିବାଦର ସମାଧାନ ଲାଗି ବାଟ ବହାରୁନି । ସେପଟେ ମାନସ ଚୌଧୁରୀଙ୍କୁ ଦଳରୁ ବହିସ୍କାର ପରେ ପିସିସି ସଭାପତି ପଦରୁ ମଧ୍ୟ ଶରତ ପଟ୍ଟନାୟକ ହଟିଛନ୍ତି । କିଏ ସଭାପତି ହେବେ ସେଥିପାଇଁ ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି। ସଭାପତି ହେବା ପାଇଁ ଆଗଧାଡିର କଂଗ୍ରେସ ନେତା ମଧ୍ୟ ପିସିସି ସଭାପତି ଦୌଡ଼ରେ ଅଛନ୍ତି। ପିସିସି ସଭାପତି ଲାଗି ଦିଲ୍ଲୀରେ ଦାବିଦାରଙ୍କ ବଢ଼ିଛି ସଂଖ୍ୟା। ନୂଆ ସଭାପତି କିଏ ହେବ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ ।