ଆଜି ବିଧାନସଭାରେ ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିବା ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏମିତି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ତଥା ଲୋକଙ୍କ ବିକାଶ କ୍ଷେତ୍ରରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ। ତେଣୁ ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ଅଙ୍ଗୀକାରବଦ୍ଧ । ଏଥି ପାଇଁ ସରକାର ପ୍ରଥମ ଦିନରୁ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯାଇ ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।