ଭୀଷଣ ତାତି । ସକାଳୁ ତାତି ଆରମ୍ଭ ହେଲେ ଆଉ ସହିବା କଷ୍ଟ । ଲୋକେ ହନ୍ତସନ୍ତ ହେଉଛନ୍ତି । ଗାଁ ସହର ସବୁଠି ତାତି । ଗରମ ପାଇଁ ଲୋକଙ୍କ ଜୀବନ ଯାଉଛି । ତଥ୍ୟ ଅନୁସାରେ ଅନେକ ଜିଲ୍ଲାରେ ଲୋକଙ୍କ ଜୀବନ ଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଷ୍ଟିଲ୍ସିଟି ରାଉରକେଲାରେ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦିନରେ ସୁନ୍ଦରଗଡର ଅନ୍ୟସ୍ଥାନରେ ୭ ଜଣଙ୍କ ଜୀବନ ଯାଇଛି । ଏବେ ବି ୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ରାଉରକେଲା ହାଇଟେକ୍ ମେଡିକାଲରେ ୧୦ ଜଣ ଓ ଆରଜିଏଚ୍ ୨୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଗତକାଲିର ତାତି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସରକାରୀ ସୂଚନା ଅନୁସାରେ, ଏତିକି ମୃତ୍ୟୁ ଓ ଆହାତଙ୍କ କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏ ସଂଖ୍ୟା ଆହୁରି ଅଧିକ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ ।