ପଶ୍ଚିମବଙ୍ଗ ଦାର୍ଜିଲିଂରେ ସୋମବାର ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଦୁର୍ଘଟଣା ଘଟିଛି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ କୋଲକାତା ଯାଉଥିଲା।ସୂଚନାନୁଯାୟୀ, ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ସୋମବାର ସକାଳେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୯ଟାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ। ଦୁର୍ଘଟଣା ଫଳରେ ଏକ୍ସପ୍ରେସ ଟ୍ରେନର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି। ବଗିଗୁଡ଼ିକ ଟ୍ରାକରୁ ବାହାରି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ମାଲବାହୀ ଟ୍ରେନର ଏକାଧିକ ବଗି ଟ୍ରାକରୁ ବାହାରି ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଛି।