ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ କଡ଼ା ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଷଡ଼ଯନ୍ତ୍ର ଚାଲିଛି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏହା ଯାଞ୍ଚ୍ ହେବ। ଏଥି ପାଇଁ ଏକ କମିଟି ଗଠନ ହେବ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଉତ୍ତର ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଉତ୍ତରାଧିକାରୀ ପ୍ରସଙ୍ଗ ଉପରେ ଉତ୍ତର ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।
ନିର୍ବାଚନ ପ୍ରଚାରରେ ଅସଲ କ୍ଷମତା ତାଙ୍କ ପାଖରେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି । ସାକ୍ଷାତକାରରେ ନବୀନ ପଟ୍ଟନାୟକ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଦ୍ବନ୍ଦ୍ଜ ଦୂର କରିଛନ୍ତି । ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ । ତେଣୁ ବିରୋଧୀମାନେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ । ବିରୋଧୀମାନେ ନିର୍ବାଚନ ସମୟରେ ଏପରି କହିଥାନ୍ତି କିନ୍ତୁ ଭୋଟରମାନେ ତାଙ୍କୁ ସରକାର ଗଠନ କରିବା ପାଇଁ ସମର୍ଥନ ଦେବେ । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। କାର୍ତ୍ତିକ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ । ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ ।
ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗତ କିଛିଦିନ ଧରି ବିରୋଧୀମାନେ ପ୍ରଶ୍ନ କରୁଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶ୍ନ କରିଥିଲେ । ଏହାକୁ ନେଇ ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି । ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରିପାରିଥାନ୍ତେ । ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ ।