ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅବଦାନ ଅତୁଳନୀୟ । ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।
କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।