ଆମ୍ବ ଟାକୁଆ ପାଇଁ ଗଲା ଦୁଇ ଜୀବନ । ଟାକୁଆ ଜାଉ ଖାଇ ଜୀବନ ଯାଇଥିବାକୁ ନେଇ ଚର୍ଚା ଜୋର ଧରୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ମାଣ୍ଡିପଙ୍କା ଗାଁର ୩୦ ବର୍ଷୀୟା ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ୬ ଗୁରୁତର ହେଲେ ପ୍ରଭାତୀ ମାଝୀ, ଶୁସନା ମାଝୀ, ଜିତା ମାଝୀ, ଦ୍ରେଙ୍ଗାଲୁ ପାଟମାଝୀ, ଜୀବନ୍ତ ପାଟମାଝୀ ଓ ଟୁନି ମାଝୀ । ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ପ୍ରଥମେ ଆମ୍ବ ଟାକୁଆ ଜାଉ କରି ଖାଇଥିଲେ । ବଳକା ଟାକୁଆକୁ ଗତ ୨୯ ତାରିଖରେ ପୁଣିଥରେ ଜାଉକରି ଖାଇଥିଲେ ।
ଗତକାଲି ରନିତା ପାଟମାଝୀଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏସକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା । ଆଜି ସକାଳୁ ପୁଣି ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାବେଳେ ବାଟରେ ରୁନୁ ମାଝୀଙ୍କର ମୃତ୍ୟୁ ହୋଇଥିଲା ।