ପଶ୍ଚିମବଙ୍ଗ ଦାର୍ଜିଲିଂରେ ସୋମବାର ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଦୁର୍ଘଟଣା ଘଟିଛି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ କୋଲକାତା ଯାଉଥିଲା।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, “ଏନଏଫଆର ଜୋନରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି । ଯୁଦ୍ଧକାଳୀନ ସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ, ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବେ କାମ କରୁଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।