ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ହେବନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ରାଜ୍ୟସ୍ତରରେ କୃତୀ କୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ କିଛି ସତ୍ୟତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । ବିଜେପି ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି । ପୂର୍ବପରି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଜାରି ରହିବ । ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ଚାରୋଟି ଭିନ୍ନ ଶ୍ରେଣୀରେ କ୍ରୀଡା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ, କ୍ରୀଡ଼ା ଏବଂ ଖେଳର ପ୍ରୋତ୍ସାହନରେ ଆଜୀବନ ସଫଳତା, କୋଚିଂରେ ଉତ୍କର୍ଷତା ଏବଂ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଉଥିବା ବେଳେ ନୂଆ ସରକାର ଆସିବା ପରେ ଏଭଳି ଚର୍ଚ୍ଚା ଗଣମାଧ୍ୟମରେ ହେଉଥିଲା ।