ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ମହାପ୍ରଭୁଙ୍କ କୃପାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହି କାମ ଶେଷ ହେବ ବୋଲି ଗଜପତି କହିଛନ୍ତି । ଏତିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।ଅନ୍ୟପଟେ ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ । ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ । ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ । ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।