ଅକ୍ଟୋବରରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇନଥିଲେ ହେଁ, ରାଜ୍ୟର ୩ଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଇତିମଧ୍ୟରେ କ୍ୟାମ୍ପସରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ସେପଟେ ବିଜେଡି ଛାତ୍ର ସଙ୍ଗଠନକୁ ଇତିମଧ୍ୟରେ ଭାଙ୍ଗି ଦିଆଯାଇଛି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ଭିତରେ ସଙ୍ଗଠନ ନୂଆ ନେତୃତ୍ବରେ ମଇଦାନକୁ ଓହ୍ଲାଇପାରେ। ଛାତ୍ର କଂଗ୍ରେସରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନାହିଁ। ମାତ୍ର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରୁଛି ଛାତ୍ର କଂଗ୍ରେସ।ଓଡ଼ିଶାରେ ନୂଆ ସରକାର ଗଠନ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଧିକ ସକ୍ରିୟ ହୋଇପଡ଼ିଛି। ପ୍ରତି ଶିକ୍ଷାବର୍ଷ ପରି ଏଥର ମଧ୍ୟ ସଦସ୍ୟତା ଅଭିଯାନ ଆରମ୍ଭ କରି ଓଡ଼ିଶାର ୨ଲକ୍ଷ ୫୦ହଜାର ଛାତ୍ରଛାତ୍ରୀଙ୍କୁ ସଙ୍ଗଠନ ସହ ଯୋଡ଼ିବାକୁ ଲକ୍ଷ୍ୟ ନେଇଛି। ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ନୂତନ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିସାରିଲାଣି। ଆସନ୍ତା ୧୮ତାରିଖରୁ ଅଗଷ୍ଟ୧୦ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ୬ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି।