ପୁରୀ: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତରକୁ ପ୍ରବେଶ କରିଥିଲୁ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବା କଥା କହିଛନ୍ତି ଜଷ୍ଟିସ ରଥ । ଭିତର ରତ୍ନଭଣ୍ଡାରରେ ୩ଟି କାଚ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୩ଟି ସିନ୍ଦୁକ ମଧ୍ୟ ଥିଲା। ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାର ପ୍ରବେଶ କରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ରତ୍ନ ସ୍ଥାନାନ୍ତର କରିବା ପାଇଁ ସାଢ଼େ ସାତ ଘଣ୍ଟା ଲାଗିଥିଲା । ଜଷ୍ଟିସ ରଥ କହିଛନ୍ତି ଅନେକ ଗଣମାଧ୍ୟମ ଭିନ୍ନ ଭିନ୍ନ କଥା କହୁଛନ୍ତି ଯେଉଁଥିରେ ସତ୍ୟତା ନାହିଁ । ସୁଡ଼ଙ୍ଗ ନେଇ ତାଙ୍କୁ ସରକାରଠାରୁ ଅନୁମତି ମିଳିନାହିଁ । ତେଣୁ ସେ ରତ୍ନ ସ୍ଥାନାନ୍ତର କାମରେ ଲାଗିଥିଲେ ।