ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଗୁପ୍ତ ଧନ ଖୋଜାଯିବ । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବା ପାଇଁ ପରିଚାଳନା କମିଟିକୁ ଅନୁମୋଦନ କରାଯାଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଫଳରେ ଭିତର ଭଣ୍ଡାରରେ ଗୁପ୍ତଧନ ଥିବା ଚର୍ଚ୍ଚା ଉପରୁ ପରଦା ହଟିବ । କାରଣ ରତ୍ନଭଣ୍ଡାର ଖୋଲିବା ସମୟରେ ଚର୍ଚ୍ଚାକୁ ଆସିଥିଲା, ଭିତର ଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅମୁହାଁ ଦେଉଳ ଥିବା ଜନଶ୍ରୁତିକୁ ନେଇ । ଶ୍ରୀଜଗନ୍ନାଥ ସଂପର୍କିତ ବିଭିନ୍ନ ପୁସ୍ତକରେ ମଧ୍ୟ ଭିତର ଭଣ୍ଡାରରେ ଗୁପ୍ତଧନ ଥିବା ଉଲ୍ଲେଖ ରହିଛି । ତେଣୁ ଭବିଷ୍ୟତରେ ଯେପରି ଏସଂପର୍କିତ କୌଣସି ସନ୍ଦେହ କାହା ମନରେ ନରହିବ ସେଇଥି ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଯାଂଚ କରାଯିବ ।