୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଜବତ ହୋଇଛି । ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ଏତେ ଟଙ୍କା ଜବତ ହୋଇଥିବା କେବେ ଦେଖାଯାଇନଥିଲା । ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶବ୍ୟାପୀ ଜବତ ହୋଇଥିବା ୪୫ ପ୍ରତିଶତ ଡ୍ରଗ୍ସ ଓ ନିଶାଦ୍ରବ୍ୟ ଉପରେ ଆୟୋଗଙ୍କ ବିଶେଷ ଫୋକସରେ ରହିଛି। ବ୍ୟାପକ ଯୋଜନା, ସହଯୋଗ ବୃଦ୍ଧି ଏବଂ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରତିରୋଧ କାର୍ଯ୍ୟ, ସକ୍ରିୟ ନାଗରିକ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ନିୟୋଜନ ଦ୍ୱାରା ଏହି ଜବତ ସମ୍ଭବ ହୋଇପାରିଛି ।