ମୁମ୍ବାଇ: ଆଜି ସେୟାର ମାର୍କେଟ ପାଇଁ ଖରାପ ଦିନ ଥିଲା । ଘରୋଇ ଷ୍ଟକ୍ ମାର୍କେଟରେ ସ୍ଥିତି ପୁରା ବିଗିଡି ଯାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନିଫ୍ଟ ଉଭୟ ହ୍ରାସ ପାଇଛି । ଇସରାଏଲ ଏବଂ ଇରାନ ଯୁଦ୍ଧ ଆଶଙ୍କା ଭିତରେ ନିବେଶକମାନେ ଭୟଭୀତ ଅଛନ୍ତି । ଏଥିପାଇଁ ମାର୍କେଟରେ ଅସ୍ଥିରତା ଦେଖାଦେଇଛି ।
ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ଦୁଇ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ପଶ୍ଚିମ ଏସିଆରେ ତିକ୍ତତା ପରେ ନିବେଶକଙ୍କ ସତର୍କତା କାରଣରୁ ବଜାରରେ ଏହି ହ୍ରାସ ଘଟିଛି। ଫ୍ୟୁଚର କାରବାରର ସମାପ୍ତି ଦିନରେ ସେନସେକ୍ସ ଏବଂ ନିଫ୍ଟି ପ୍ରତ୍ୟେକ ଦୁଇ ପ୍ରତିଶତ ହ୍ରାସ ପାଇଛି। ଅପରାହ୍ନ ୨ଟା ୧୦ ରେ, ସେନସେକ୍ସ ୮୨,୪୫୫.୦୮ ରେ କାରବାର କରି ୧,୮୧୧ପଏଣ୍ଟ ଅର୍ଥାତ୍ ୨.୧୫% ହ୍ରାସ ପାଇଥିବାର ଦେଖାଯାଇଥିଲା।
ଅନ୍ୟପକ୍ଷରେ, ନିଫ୍ଟି ମଧ୍ୟ ୨.୧୫% ଅର୍ଥାତ୍ ୫୫୪ ପଏଣ୍ଟ ହ୍ରାସ ପାଇ ୨୫,୨୪୨ରେ ପହଞ୍ଚିଛି। ଏହି ଅବଧି ମଧ୍ୟରେ ବଜାରରେ ନିବେଶକମାନଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ପରିଶେଷରେ ସେନ୍ସେକ୍ସ ୧,୭୬୯.୧୯ (୨.୦୯%) ଖସି ୮୨,୪୯୭.୧୦ରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ, ନିଫ୍ଟି ୫୪୬.୮୧ (୨.୧୨%) ପଏଣ୍ଟ ହ୍ରାସ ପାଇ ୨୫,୨୫୦.୧୦ରେ ବନ୍ଦ ହୋଇଥିଲା।