ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ନେଇ କଟକଣା ଜାରି କରିଛନ୍ତି । ଆଉ ଏହାକୁ ନେଇ ଏଠି ବେପାରୀ ମାଲେମାଲ ହେଉଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ନଆସିବା ଦ୍ବାରା ଓଡିଶାରେ ଲୋକେ ଅଧିକ ଦାମରେ ଆଳୁ କିଣୁଛନ୍ତି । ରାଜ୍ୟରେ ଆଳୁ ସଂକଟରୁ ଫାଇଦା ଉଠାଇ ବ୍ୟବସାୟୀମାନେ ମନ ଇଛା ବେପାର କରୁଥିବା ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଉଥିବାରୁ ତାଙ୍କୁ ବୁଝାଇବା ପାଇଁ ଜଗନ୍ନାଥ ସ୍ବାଇଁ ମହାପାତ୍ର ଯିବେ କୋଲକତା । ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କର ଭଲ ସମ୍ପର୍କ ରହିଛି। ସେ ବିଭିନ୍ନ ସମୟରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି। କାରଣ ଓଡ଼ିଶାରେ କିଏ କେତେ ଦରରେ ବିକୁଛି ଠିକ୍ ଠିକଣା ନାହିଁ । ଓଡ଼ିଶା ବଜାରରେ ଆଳୁ ସଂକଟ ବେପାରୀମାନଙ୍କୁ ସୁହାଉଛି । ଲୁଚାଛପାରେ ହାତଗୁଞ୍ଜା ଦେଇ ପ୍ରତିଦିନ କିଛି ଆଳୁ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି। ହେଲେ ଗତ ୨ଦିନ ହେବ କୌଣସି ଆଳୁ ଗାଡ଼ି ଆସିନାହିଁ। କଟକର ଛତ୍ରବଜାରକୁ ଆଳୁ ଗାଡ଼ି ଆସି ନ ଥିବା ବେଳେ ଭୁବନେଶ୍ବରର ଆଇଗିଣିଆ ଆଳୁ ଗୋଦାମ ଖାଲି ହୋଇଗଲାଣି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ମାତ୍ର ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି। ମାତ୍ର ରାଜ୍ୟ ସରକାର ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି। କିନ୍ତୁ ବାସ୍ତବରେ ସେପରି କିଛି ଘଟୁନାହିଁ । ଏକନମ୍ବର ମାର୍କେଟରେ ଆଳୁ ୪୦ ଟଙ୍କା ଥିବା ବେଳେ ଅନ୍ୟ ସ୍ଥାନରେ ୫୦ରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।