ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀକ୍ଷକ ଯାହା କହୁଥିଲେ, ତାହା ସତ ହୋଇଛି। ଆସନ୍ତା ଜୁଲାଇ ୮ ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହିତ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୨୦ ଦିନ ଧରି ଏହି ଗଣତି ଓ ମଣତି ପ୍ରକ୍ରିୟା ଚାଲିବ। ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ ପୁରୀ ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜୁଲାଇ ୫ ତାରିଖଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ। ତେବେ ଭିତର ରତ୍ନଭଣ୍ଡାର ଖୋଲି ଗଣତି ଓ ମଣତି ହେବ କି ଅନ୍ୟ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ
ଆପଣାଇବେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି। ଯେହେତୁ ଜଷ୍ଟିସ୍ ପଶାୟତ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ବେଳେ ଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ଗ୍ରହଣ କରିବା ଲାଗି ପ୍ରସ୍ତାବ ଉଠିଥିଲା, ସେ ଦୃଷ୍ଟିରୁ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ରତ୍ନଭଣ୍ଡାର ଖୁବଶୀଘ୍ର ଖୋଲିବ। କିନ୍ତୁ ସେ ତାରିଖ ସଂପର୍କରେ କୌଣସି ସୂଚନା ଦେଇନଥିଲେ। ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ମଧ୍ୟ ରତ୍ନଭଣ୍ଡାର ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲା।