ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ କରିବା ପାଇଁ ପ୍ରଳାପ କରୁଥିବା ବିଜେଡି ଗତ ୨୫ ବର୍ଷରେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନଥିଲା । ମାତ୍ର ଅଳ୍ପଦିନ ତଳେ ଶାସନଭାର ସମ୍ଭାଳିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛି ବୋଲି ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର କହିଛନ୍ତି । କିଛି ବର୍ଷ ହେବ ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବିଜେପି ମାତ୍ର ୨୧ଦିନ ସରକାର ଗଠନ କରିଥିବା ବେଳେ ରାଜ୍ୟରେ ମୁଦ୍ରାସ୍ପିତି ଗତ ୬ମାସ ହେବ ୭%ରୁ ଅଧିକ ରହିଛି । ବିଜେଡି ଶାସନରେ ଥିବା ଯାଏଁ ଦରଦାମ ବଢ଼ିଚାଲିଥିଲା । ଖାଲି ସେତିକୁ ନୁହେଁ ତତ୍କାଳୀନ ବିଜେଡି ସରକାର କୁନି ପିଲାମାନଙ୍କ ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍ କରି ନିଜର ପକେଟ ଗରମ କରିଛି । ଶ୍ରୀମତି ମିଶ୍ର କହିଛନ୍ତି, ବିଜେଡି ସରକାର ସମୟରେ ଜଳସେଚନ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏନେଇ ଚାଷୀମାନେ ଭଲ ଫସଲ ଉତ୍ପାଦନ କରିପାରୁ ନ ଥିଲେ । ଏପରିକି ଗତ ୨୫ ବର୍ଷ ମଧ୍ୟରେ ଗୋଟିଏ ହେଲେବି ଶୀତଳଭଣ୍ଡାର ଖୋଲିପାରିନାହିଁ । ଆଉ ଯେଉଁଠି ଶୀତଳଭଣ୍ଡାର ଥିଲା ସେଗୁଡ଼ିକ ଅଚଳ ହୋଇଯାଇଛି । ଫଳରେ ଆଳୁ, ପିଆଜ ଓ ପରିବା ଆଦି ପୂର୍ବରୁ ସଂରକ୍ଷିତ ରଖାଯାଇ ପାରୁନାହିଁ । ଏଥିପାଇଁ ଦରଦାମ ଦିନଦିନକୁ ବଢ଼ି ଚାଲିଛି । ବିଜେପି ସରକାର ଆସିବା ପରେ ଏହି ଅସୁବିଧାକୁ ହୃଦୟଙ୍ଗମ କରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଯୋଜନା କରିଛି ।
ଅପରପକ୍ଷେ ମଣ୍ଡିରେ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥଲା । ଫଳରେ କଳାବଜାରି ବଢ଼ିଚାଲିଥିଲା । ଏଥିଯୋଗୁ ଚାଷୀ ହତାଶ ହେଉଥିବାବେଳେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିଲା । ତତ୍କାଳୀନ ବିଜେଡି ସରକାର କୁନି ପିଲାମାନଙ୍କ ଚାଉଳ ଓ ଡାଲି ସବୁ ଲୁଟ୍ କରିବା ସହ ଏହାକୁ ବ୍ରିକି କରି ଅନେକ ସମୟରେ ଲାଭବାନ ହୋଇଛି । ଚଳିତ ବର୍ଷ ଅଧିକ ଖରା ହୋଇଥିବାରୁ ଫସଲ ଭଲ ହୋଇପାରିନାହିଁ । ବିଜେପି ସରକାର ଆସିବା ପରେ ବଜାରର ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି । କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୋଦାମ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରରେ ଭାଜପା ସରକାର ୭୧ ହଜାର ଟନ କିଣି ଷ୍ଟକ୍ ରଖିଥିବା ସେ କହିଛନ୍ତି ।