ରାଜ୍ୟରେ ଆଳୁ ବିବାଦ ସମାଧାନ ହୋଇଛି । ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବେ । ସେଠାରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି। ଏ ଦୃଷ୍ଟିରୁ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି। ଫଳରେ ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁର ନିର୍ଭରଶୀଳତା ହ୍ରାସ ପାଇବ। ଉତ୍ତରପ୍ରଦେଶ ସରକାର ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବେ।