ଓଡ଼ିଶା ପୋସ୍କୋ ଫେରୁଥିବା ନେଇ ଏବେ ରାଜନୀତି ସରଗରମ । ସରକାର ବଦଳିବା ପରେ ପୋସ୍କୋ ଫେରିବା ନେଇ ବାଟ ଫିଟିଛି । କାରଣ ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଯାହା ଫଳରେ ପୋସ୍କୋ ପୁଣି ଓଡ଼ିଶା ଫେରୁଥିବା ସ୍ପଷ୍ଟ ହୋଇଛି ।
ଜେଏସଡବ୍ଲୁ ଓ ପୋସ୍କୋ ମଧ୍ୟରେ ଦୁଇଟି ପ୍ରସଙ୍ଗକୁ ନେଇ ଚୁକ୍ତି ହୋଇଛି । ଗୋଟିଏ ନୂଆ ଇସ୍ପାତ କାରଖାନା ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ସମ୍ପର୍କିତ ରହିଛି । ପୂର୍ବରୁ ଜଗତସିଂହପୁର ଓ କଟକରେ ଏ ସମ୍ପର୍କିତ ଦୁଇଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜେଏସଡବ୍ଲୁ ଗ୍ରୁପ ଘୋଷଣା କରିଛି । ତେଣୁ ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ଲାଗି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଏହି ପ୍ରକଳ୍ପରେ 65 ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 30 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ସେହିପରି କଟକ ଓ ପାରାଦ୍ୱୀପରେ 40 ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଘୋଷଣା କରିଛି ।
ଜଗତସିଂହପୁର ଜିଲ୍ଲାରୁ ପୋସ୍କୋ ଫେରିଯାଇଥିଲା କାରଣ ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । ଘଟଣା ଥିଲା 2013 ମସିହା । ପ୍ରସ୍ତାବିତ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରୁ ଏହି କଂପାନି ଫେରିଥିଲା । ବିପକ୍ଷବାଦୀମାନେ ସେତେବେଳେ ପ୍ରବଳ ବିରୋଧ କରିଥିଲେ । ଏବେ ମଧ୍ୟ କିଛି ବିରୋଧାଭାସ ରହିଛି ।
ଏରସମା ଓ କୁଜଙ୍ଗ ବ୍ଲକର 3ଟି ପଞ୍ଚାୟତ ଢିଙ୍କିଆ, ଗଡ କୁଜଙ୍ଗ ଓ ନୂଆଗାଁରେ କଂପାନି ପ୍ରତିଷ୍ଠା ହୋଇଥାନ୍ତା । ପୋସ୍କୋ ଫେରିବା ପରେ ଜିନ୍ଦଲକୁ ଦିଆଯାଇଛି । ବିପକ୍ଷବାଦୀ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଗଠନ କରି ସଭା ଆୟୋଜନ କରିଛନ୍ତି । ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା 2958 ଏକର ଜମିକୁ ଓଡିଶା ସରକାର ଜିନ୍ଦଲକୁ ହସ୍ତାନ୍ତର କରିଛନ୍ତି ।
ପୋସ୍କୋ ଓଡ଼ିଶା ଫେରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସବୁ କଂପାନିକୁ ସରକାର ସ୍ବାଗତ କରିବେ । ରୋଜଗାର ପାଇଁ ଏସବୁର ଆବଶ୍ୟକତା ରହିଛି । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ମୋହନ ସରକାର ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ପୂର୍ବରୁ ଶିଳ୍ପ ଫେରିଯିବାର ବହୁତ କାରଣ ଅଛି ।” ମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି “ଜେଏସଡବ୍ଲୁ ହେଉ କି ପୋସ୍କୋ, ଅବା ଜେଏସଡବ୍ଲୁ-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ ।
ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ପାଞ୍ଚ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଚୁକ୍ତି ହୋଇଛି ।
2005ରେ ସ୍ୱାକ୍ଷରିତ ଏମଓୟୁକୁ କିଛି ସଂଗଠନ ସହ ପଂଚାୟତବାସୀ ପ୍ରବଳ ବିରୋଧ କରିଥିଲେ । ଏମଓୟୁ 2011 ଜୁନରେ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର ଓ କମ୍ପାନୀ । ରାଜ୍ୟ ସରକାର ବହୁ ପ୍ରଚେଷ୍ଟାରେ ପ୍ରାୟ 2 ହଜାରରୁ ଅଧିକ ଏକର ଜମି ଅଧିଗ୍ରହଣ କରି ଯୋଗାଇଥିଲେ ।
ସମ୍ପୂର୍ଣ୍ଣ ଜମି ନମିଳିବାରୁ 2012 ଏପ୍ରିଲ ପର୍ଯ୍ୟନ୍ତ କମ୍ପାନୀ ତାହାର ନବୀକରଣ କରିନଥିଲା । ସେହିପରି ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ପୋସ୍କୋର ଦାବି ଥିଲା । ଜମି ମିଳିବାରେ ସମସ୍ୟା ସହ ଖଣି ନମିଳିବାରୁ ବାଧ୍ୟ ହୋଇ 2017 ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା ପୋସ୍କୋ ।
ପୋସ୍କୋ ଯେଉଁ ସ୍ଥାନରେ ଇସ୍ପାତ କାରଖାନା ବସାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା, ସେହି ଜମି ଜେଏସଡବ୍ଲୁକୁ ଦିଆଯାଇଛି । ଚଳିତବର୍ଷ ଫେବୃଆରୀରେ ଜେଏସଡବ୍ଲୁ ଇସ୍ପାତ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଥିଲା । ସେତେବେଳେ ବିଜେଡି ସରକାର ଥିଲା । ଏବେ କିନ୍ତୁ ବିଜେପି ସରକାର ରହିଛି ।