ଭୁବନେଶ୍ବର: ନୂଆ ସରକାର ଆସିବା ପରେ ଓଡ଼ିଶାରେ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ରୂପରେ ସଜେଇ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଏହି ଅବସରରେ ବଡ଼ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପରିଚାଳନା ରାଜ୍ୟର ଭାଷା ଓଡ଼ିଆରେ ହିଁ ହେବ। ତେଣୁ ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ ଆବଶ୍ୟକ ହେଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ। ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ସୁଗମ କରାଯିବ । ଏଥିନିମନ୍ତେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ ଉପରେ ଅଧିକ ଦୃଷ୍ଟି ଦିଆଯିବ ।’ ଓଡ଼ିଶାର ଅସ୍ମିତାକୁ ରକ୍ଷା କରାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବାର ୨୨ ଦିନ ପରେ ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି ।