ଭୁବନେଶ୍ବର: ବରିଷ୍ଠ ପ୍ରଶାସକଙ୍କୁ ହଟାଇଲେ ସରକାର । ବିଜେପି ସରକାର କ୍ଷମତାକୁ ଆସିଲା ପରେ ଆଜି ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ସ୍ତରରେ ଗତକାଲି ବଡ଼ଧରଣର ଅଦଳବଦଳ କରିବା ପରେ, ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସର ଆଶିଷଙ୍କ ସିଂଙ୍କ କ୍ଷମତାରେ ଚୋଟ ମାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବ ସରକାରର କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି। ପୁଣି କିଛି ଅଧିକାରୀଙ୍କୁ ଅଧିକ ବିଭାଗ ଦେଇ କ୍ଷମତାଶାଳୀ ବି କରାଯାଇଛି। ଆଜି ରାତିରେ ଏହି ଅଦଳବଦଳ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ଆହୁରି ଅଦଳବଦଳ ହେବ ବୋଲି ଆଭାସ ମିଳିଛି। ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତାଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପାଖରେ ଥିବା ସଂସଦୀୟ ବ୍ୟାପାର ବିଭାଗକୁ ବି କାଢ଼ି ନିଆଯାଇଛି।