କିଏ କହୁଛି ସତ? କିଏ କହୁଛି ମିଛ? ସତ ଧରିପାରିବ କି ପଲିଗ୍ରାଫ ଟେଷ୍ଟ । ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭରତପୁର ଥାନାରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ ହେବ। ପଲିଗ୍ରାଫ୍ ଟେଷ୍ଟ ପାଇଁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟ ଗାନ୍ଧିନଗର ନେବ। ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଏଣେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭରତପୁର ଥାନାରେ ସକାଳେ ପହଞ୍ଚିଥିଲା। ସେଠାରେ ପୀଡ଼ିତା ଓ ତାଙ୍କ ବନ୍ଧୁ ମେଜର ବି ପହଞ୍ଚିଥିଲେ। ତାପରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ପରେ ଭରତପୁର ଥାନାରେ ଉଭୟଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ତେବେ କଣ ତଦନ୍ତ ହୋଇଛି ତାହା ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଂଚ । ମାମଲା କୋର୍ଟରେ ଥିବାରୁ ସତ୍ୟସତ୍ୟ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ।